ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ
ଏହି ରେଳ ଉପମାର୍ଗ ବା (ସବ-ୱେ) ଗୁଡ଼ିକ ରେଳପଥ ଅତିକ୍ରମ କରିବା ସମୟରେ ହେଉଥିବା ଦୁର୍ଘଟଣାକୁ ରୋକିବ
ଟ୍ରାକର ଉଭୟ ପାର୍ଶ୍ୱରେ ବ୍ୟବହାର କରିବାକୁ ସହଜ ଏହି ସୁବିଧାଜନକ ଉପମାର୍ଗ ଗୁଡିକ ମାତ୍ର ୧୨ ଘଣ୍ଟା ମଧ୍ୟରେ ନିର୍ମାଣ କରାଯାଇପାରିବ
ନୂଆଦିଲ୍ଲୀ, ୨୬/୦୩: ରେଳ ଟ୍ରାକ୍ ଅତିକ୍ରମ କରିବା ସମୟରେ ଘଟୁଥିବା ଦୁର୍ଘଟଣାକୁ ବର୍ତ୍ତମାନ ରେଳବାଇ ଏକ ମିଶନ ମୋଡରେ ଅଟକାଇବ। ସୁବିଧାଜନକ ଉପମାର୍ଗ ନିର୍ମାଣ କରି ଏହା ସୁନିଶ୍ଚିତ କରାଯିବ। ଏହାର ବ୍ୟାପକ ପ୍ରସ୍ତୁତି ସ୍ୱରୂପ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଏକ କର୍ମଶାଳା ଆୟୋଜନ କରିଥିଲେ।
ଏହି ରେଳ ଉପମାର୍ଗ ଗୁଡ଼ିକ ଏପରି ସ୍ଥାନରେ ନିର୍ମାଣ କରାଯିବ ଯେଉଁଠାରେ ରେଳ ଟ୍ରାକ୍ ର ଗୋଟିଏ ପାର୍ଶ୍ୱରେ ଜନବସତି ଏବଂ ଅନ୍ୟ ପାର୍ଶ୍ୱରେ କୃଷି, ବିଦ୍ୟାଳୟ, ଶ୍ମଶାନ କିମ୍ବା ଅନ୍ୟାନ୍ୟ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିବ। ରେଳ ମନ୍ତ୍ରୀ ସାରା ଦେଶରେ ଏଭଳି ଉପମାର୍ଗ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଠାରେ ବହୁ ସଂଖ୍ୟକ ଲୋକ ସେମାନଙ୍କ ଦୈନନ୍ଦିନ ଜୀବନରେ ଟ୍ରାକ୍ ଅତିକ୍ରମ କରନ୍ତି।
ଏହି ଉପମାର୍ଗ ଗୁଡିକ ଜୀବନ ରକ୍ଷାକାରୀ ବିକଳ୍ପ ଭାବରେ ଉଭା ହେବ। ରେଳମନ୍ତ୍ରୀ ଅଧିକାରୀମାନଙ୍କୁ ଏପରି ରେଳ ଉପମାର୍ଗ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଟ୍ରାକ୍ ଅତିକ୍ରମ କରୁଥିବା ଲୋକମାନଙ୍କ ପାଇଁ ଜୀବନରକ୍ଷକ ବିକଳ୍ପ ଭାବରେ କାର୍ଯ୍ୟ କରିବ।
ଏହି ରେଳ ଉପମାର୍ଗ ଗୁଡ଼ିକ ନିର୍ମାଣ କରିବା ସମୟରେ, ଏହା ଉପରେ ଧ୍ୟାନ ଦିଆଯିବ ଯେ ଜଣେ ସାଧାରଣ ବ୍ୟକ୍ତି ଏହି ଉପମାର୍ଗରେ ସାଇକେଲ, ମୋଟରସାଇକେଲ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମ୍ବନ୍ଧୀୟ ସାମଗ୍ରୀ ବହନ କରିପାରିବେ। ଏହା ସାରା ଦେଶରେ ଟ୍ରାକ୍ ଅତିକ୍ରମ କରିବା ସମୟରେ ହେଉଥିବା ଦୁର୍ଘଟଣାକୁ ରୋକିବ। ଭାରତୀୟ ରେଳବାଇର ଏହି ଉପମାର୍ଗ ଗୁଡ଼ିକ ଦେଶର ଏକ ବଡ଼ ଜନସଂଖ୍ୟା ପାଇଁ ବରଦାନ ହେବ।
ସୁଗମ ଏବଂ ସୁରକ୍ଷିତ ଡିଜାଇନ୍
ରେଳ ମନ୍ତ୍ରୀ ଅଧିକାରୀମାନଙ୍କୁ ଦେଶର ଏହି ବଡ଼ ସମସ୍ୟାକୁ ଆଗାମୀ ୫-୬ ବର୍ଷ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଉପମାର୍ଗ ଗୁଡିକ ଏପରି ଭାବରେ ନିର୍ମିତ ହେବ ଯାହା ଦ୍ୱାରା ସେଗୁଡିକ କେବଳ ୧୨ ଘଣ୍ଟା ମଧ୍ୟରେ ଟ୍ରାକ୍ ଉପରେ ନିର୍ମାଣ କରାଯାଇପାରିବ |
ରେଳମନ୍ତ୍ରୀ କହିଛନ୍ତି ଯେ ଡିଜାଇନ୍ ଏପରି ହେବା ଉଚିତ ଯେ ଲୋକମାନେ ଏହାକୁ ବ୍ୟବହାର କରିବାକୁ କୁଣ୍ଠା ବୋଧ କରିବେ ନାହିଁ ଏବଂ ଜଳ ମଗ୍ନ ସମୟରେ ଏହି ଉପାମାର୍ଗ ଗୁଡିକ ପ୍ରଭାବିତ ହେବ ନାହିଁ ।
ରେଳ ଉପାମାର୍ଗ ନିର୍ମାଣ ସମ୍ବନ୍ଧୀୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଗତ କିଛି ଦିନ ଧରି କର୍ତ୍ତୃପକ୍ଷଙ୍କ ସହ ଚାଲିଥିବା ଆଲୋଚନା ଓ ବୁଝାମଣାର ଫଳସ୍ୱରୂପ।
ରେଳମନ୍ତ୍ରୀ ଅନୁସାରେ, ବ୍ୟବସ୍ଥା ଗୁଡିକ ସମ୍ବେଦନଶୀଳ ହେବା ଉଚିତ ଏବଂ ଅଧିକାରୀମାନେ ସାଧାରଣ ଲୋକଙ୍କ ସମସ୍ୟାର ଏପରି ସମାଧାନ ଖୋଜିବା ଉଚିତ ଯାହା ଆଗାମୀ ଅନେକ ଦଶନ୍ଧି ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ।