କୁରୁଜଙ୍ଗର ପୂର୍ବତନ ପ୍ରଥମ ମହିଳା ସରପଞ୍ଚ ସୂର୍ଯ୍ୟମଣି ଦେବୀଙ୍କ ଏକାଦଶାହ ଅବସରରେ ବୃଷଭ ଉତ୍ସର୍ଗ
ଅମର ଆତ୍ମାର ଶାନ୍ତି ଓ ସ୍ବର୍ଗପ୍ରାପ୍ତିର କାମନା କଲେ ସ୍ଥାନୀୟ ଲୋକେ
ପୁରୀ/କୋଣାର୍କ, ୨୬/୦୩ (ନିଜସ୍ବ ପ୍ରତିନିଧି): କୁରୁଜଙ୍ଗ ଗ୍ରାମର ବର୍ଷିଆନ ମହିୟସୀ ମହିଳା ତଥା ପୂର୍ବତନ ସରପଞ୍ଚ ସ୍ୱର୍ଗୀୟ ସୂର୍ଯ୍ୟମଣି ଦେବୀଙ୍କ ପରଲୋକ ପରେ ତାଙ୍କର ଦଶାହ ଓ ଏକାଦଶାହ କାର୍ଯ୍ୟକ୍ରମ ଗ୍ରାମବାସୀ ଓ ବନ୍ଧୁବାନ୍ଧବଙ୍କ ଗହଣରେ ଭକ୍ତିପୂତ ପରିବେଶରେ ସମାପନ ହୋଇଯାଇଛି। ଏହି ଅବସରରେ ପିତୃଲୋକଙ୍କ ସଦଗତି ଉଦ୍ଦେଶ୍ୟରେ ଏକ ବୃଷଭ ଉତ୍ସର୍ଗ କାର୍ଯ୍ୟକ୍ରମ ଗ୍ରାମର ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ନିକଟରେ ଯଥାବିଧି ଅନୁଷ୍ଠିତ ହୋଇଛି।
ସ୍ୱର୍ଗୀୟ ଦେବୀଙ୍କ ବଡ଼ପୁଅ ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। କୁଳ ପୁରୋହିତ ଶ୍ରୀ ପ୍ରଫୁଲ୍ଲ ଶତପଥୀଙ୍କ ପୌରୋହିତ୍ୟରେ ଏବଂ ଆଚାର୍ଯ୍ୟ ପଣ୍ଡିତ ସର୍ବଶ୍ରୀ ଅମୂଲ୍ୟ କୁମାର ମିଶ୍ର, ରବି ନାରାୟଣ କର, ଚନ୍ଦନ କୁମାର ମିଶ୍ର, ବିଜୟ କୁମାର ଷଡ଼ଙ୍ଗୀ, ଦେବବ୍ରତ ଦାସ, ଭବାନୀ ଶଙ୍କର ମିଶ୍ର, ଦେବୀପ୍ରସାଦ ତ୍ରିପାଠୀ, ମନୋରଞ୍ଜନ କର, ଦୀନବନ୍ଧୁ ମିଶ୍ର, ନୀଳକଣ୍ଠ ଓ ବିଶ୍ୱନାଥ ମିଶ୍ରଙ୍କ ଦ୍ୱାରା ପୂଜାବିଧି ସମ୍ପନ୍ନ ହୋଇଥିଲା।
ଧାର୍ମିକ ରୀତିନୀତି ଅନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗୀୟ ସୂର୍ଯ୍ୟମଣି ଦେବୀଙ୍କ ଏକମାତ୍ର କନ୍ୟା ପ୍ରମିଳା, ପୁତ୍ର ପ୍ରଫୁଲ୍ଲ, ତ୍ରିଭୁବନ, ପ୍ରମୋଦ, ପ୍ରଶନ୍ନଙ୍କ ସମେତ ସମସ୍ତ ପୁତ୍ରବଧୂ, ନାତି-ନାତୁଣୀ, ନାତୁଣୀ ଜ୍ୱାଇଁ ଓ ଅଣନାତି-ନାତୁଣୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ, ସ୍ୱର୍ଗୀୟ ସୂର୍ଯ୍ୟମଣି ଦେବୀ କୁରୁଜଙ୍ଗ ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବେ ଅଞ୍ଚଳର ବିକାଶ ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ପୂଜସ୍ଥଳୀରେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ଶାନ୍ତି ଓ ସ୍ବର୍ଗପ୍ରାପ୍ତିର କାମନା କରିଥିଲେ।