ଭୁବନେଶ୍ୱର, ୨୮/୦୩: ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ‘ସୁଭଦ୍ରା ଯୋଜନା’ ଅଧୀନରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କ ଅନୁମୋଦନ କ୍ରମେ, ଆସନ୍ତା ୦୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ।
ମୁଖ୍ୟ ବିବରଣୀ:
ଆବେଦନ ଅବଧି: ୦୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬।
ବୟସ ସୀମା: ୦୧.୦୪.୨୦୨୬ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ଆର୍ଥିକ ସହାୟତା: ଯୋଗ୍ୟ ବିବେଚିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କାର ସହାୟତା ରାଶି ପାଇବେ।
ଆବେଦନ ପ୍ରକ୍ରିୟା ଓ ସର୍ତ୍ତାବଳୀ:
କେଉଁମାନେ ଆବେଦନ କରିପାରିବେ: ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାଁନ୍ତି, କେବଳ ସେହିମାନେ ହିଁ ଏହି ସମୟସୀମା ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣୀୟ ହେବ ନାହିଁ।
କେଉଁଠାରେ ଆବେଦନ କରିବେ: ନୂତନ ଆବେଦନଗୁଡିକ ସାଧାରଣ ସେବା କେନ୍ଦ୍ର (CSC) ଏବଂ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ।
ଫର୍ମ ଉପଲବ୍ଧତା: ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡି କେନ୍ଦ୍ର (AWC) ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଉପଲବ୍ଧ ଅଛି।
ସୁଭଦ୍ରା ଯୋଜନା ହେଉଛି ରାଜ୍ୟର ମହିଳାମାନଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ। ଏଥିରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡ଼ନ୍ତି, ସେଥିପାଇଁ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି।