ଟିଟିଲାଗଡ଼, ୨୯/୦୩: ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନାଁରେ ମାମଲା ରୁଜୁ। ଟିଟିଲାଗଡ଼ ଥାନା ଏସ୍ଆଇଙ୍କ ଅଭିଯୋଗ ଆଧାରରେ ବିଧାୟକ ଓ ନିଲମ୍ବିତ ପିଏସ୍ଓ ପ୍ରେମଚାନ୍ଦ ନାଗଙ୍ଗ ନାଁରେ ମାମଲା ରୁଜୁ କରାଯାଇଛି। ରାମନବମୀ ଶୋଭାଯାତ୍ରା ବେଳେ ଫାଙ୍କା ଗୁଳିଚାଳନାକୁ ନେଇ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ରାମ ନବମୀ ଶୋଭାଯାତ୍ରା ବେଳେ ବିଧାୟକ ନବୀନ ଜୈନ ତାଙ୍କ ପିଏସଓଙ୍କ ବନ୍ଧୁକରେ ଫାଙ୍କା ଗୁଳି ଚାଳନା କରିଥିଲେ। ଯାହା ପରେ ବିଏନଏସ୍ ୧୨୫ ଓ ୨୫ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି। ଏଥିସହ ବିଧାୟକ ନବୀନ ଜୈନଙ୍କ ସୁରକ୍ଷା ଦାୟିତ୍ୱରୁ ପିଏସଓଙ୍କୁ ଅନ୍ତର କରାଯାଇଛି।
ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ସଂପୃକ୍ତ ବନ୍ଧୁକଟି ଖେଳନା ବନ୍ଧୁକ ଥିଲା ବୋଲି ବିଧାୟକ କହିଥିବା ବେଳେ ଏହି ବନ୍ଧୁକ ବିଧାୟକ ଜୈନଙ୍କ ଲାଇସେନ୍ସପ୍ରାପ୍ତ ଥିଲା ବୋଲି କହିଛନ୍ତି ବଲାଙ୍ଗିର ଏସପି। ବିଧାୟକଙ୍କ ପଏଣ୍ଟ ଥ୍ରି ଟୁ ପିସ୍ତଲ ମଧ୍ୟ ଜବତ କରାଯାଇଛି।
ସେହିପରି ଏଇ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ ବିଜେଡ଼ି ସିଧା କାର୍ପେଟ କରିଛି ରାଜ୍ୟ ସରକାରଙ୍କୁ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି ବିଜେଡ଼ି।