ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ମହାଜଳାଭିଷେକ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ମା’ଙ୍କୁ ଶୀତଳଧାରା ଅର୍ପଣ କରାଯିବ

ବରଗଡ଼, ୩୦/୦୩: ଆଗାମୀ ଏପ୍ରିଲ ୧ ତାରିଖ, ବୁଧବାର ଦିନ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତିବର୍ଷ ପରି ପରମ୍ପରା ଅନୁଯାୟୀ ଚୈତ୍ର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଯୁକ୍ତ ପୂର୍ଣ୍ଣିମା ତିଥିରେ ମା’ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏହି ପବିତ୍ର ଦିନରେ ପ୍ରାତଃ ୪ଟା ୫୧ ମିନିଟରୁ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ମା’ଙ୍କୁ ଶୀତଳଧାରା ଅର୍ପଣ କରାଯିବ। ମା’ଙ୍କୁ ମହାସ୍ନାନ କରାଯିବା ସହ ଶୀତଳଧାରା ଅର୍ପଣ ପୂର୍ବକ ମହାଜଳାଭିଷେକ ସମ୍ପନ୍ନ ହେବ। ଏହା ପରେ ମା’ଙ୍କ ନିକଟରେ ଲାଗି ହୋଇଥିବା ମହାଭୋଗ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯିବ।

ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ଓ ଜନକଲ୍ୟାଣ ଉଦ୍ଦେଶ୍ୟରେ ଚଣ୍ଡୀହୋମର ଆୟୋଜନ କରାଯାଇଛି।

ସକାଳ ୭ଟା ୨୨ ମିନିଟ୍ ହୋମ ଆରମ୍ଭ ହେବାକୁ ଥିବାବେଳେ ପୂର୍ଣ୍ଣାହୂତି ଦିବା ୧୨ଟା ୧୦ ମିନିଟ୍ ସମୟରେ ହେବ।

ପୂର୍ଣ୍ଣାହୂତି ପରେ ଶ୍ରଦ୍ଧାଳୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରାଯିବ। ଏହି ପବିତ୍ର ଦିବସରେ ବରଗଡ଼ ତଥା ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହ ଏହି ପୂଜାରେ ସାମିଲ ହେବାକୁ ଥିବାରୁ ସମସ୍ତ ପ୍ରକାର ବ୍ୟବସ୍ଥା ମନ୍ଦିର ପରିଚାଳନା କମିଟି ପକ୍ଷରୁ କରାଯାଇଛି।