ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କଲେ ନବୀନ

‘ଦୁବେଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ’

ଭୁବନେଶ୍ୱର, ୩୦/୦୩: ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ। ବିଜୁ ବାବୁଙ୍କୁ ନେଇ ଦୁବେ ଯାହା କହିଲେ ତାହା ଜାଣି ମୁଁ ଆଶ୍ଚର୍ଯ୍ୟ। ପ୍ରଧାନମନ୍ତ୍ରୀ ଥିବାବେଳେ ବିଜୁ ବାବୁଙ୍କୁ ନିଜ ଅଫିସ୍‌କୁ ଡକାଇଥିଲେ ନେହେରୁ। ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ ଉଭୟେ। ସେହି ସମୟରେ ମୁଁ ୧୩ ବର୍ଷ ବୟସର ହୋଇଥିଲି। ଦୁବେ ମାନସିକ ଭାବେ ଅସୁସ୍ଥ ଅଛନ୍ତି‌। ତାଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଆବଶ୍ୟକ। ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପାଇଁ ବିବାଦୀୟ।

ନିଶିକାନ୍ତ ଦୁବେ ୧୯୬୨ ଚୀନ ଯୁଦ୍ଧ କଥା ଉଠାଇ ବିଜୁ ବାବୁଙ୍କୁ ଟାର୍ଗେଟ୍‌ କରିଥିଲେ। “ଆମେରିକା ଟଙ୍କାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନେହରୁ ଯୁଦ୍ଧ ଲଢ଼ିଥିଲେ। ଆଉ ତତ୍‌କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଏଥିରେ ଭୂମିକା ନିଭାଇଥିଲେ। ଆମେରିକା ସରକାର ଓ ସିଆଇଏ ମଧ୍ୟରେ ସେତୁ ଭାବେ କାମ କରିଥିଲେ। ନେହରୁ USA ରାଷ୍ଟ୍ରଦୁତଙ୍କୁ କହିଥିଲେ ତୁମେ ତୁମ କାମ କର, ମୁଁ ବିଜୁଙ୍କୁ ପଠାଇଛି। ଓଡ଼ିଶାର ଚାରବାଟିଆ ଏୟାର ବେସ୍‌ରେ ଆମେରିକା ବିମାନକୁ ଆଶ୍ରୟ ଦେଇଥିଲେ” ବୋଲି କହିଥିଲେ ନିଶିକାନ୍ତ।

ଏହି ମନ୍ତବ୍ୟ ପରେ ସଂସଦୀୟ ଷ୍ଟାଡିଂ କମିଟି (ଆଇଟି ଓ ଯୋଗାଯୋଗ) ରୁ ଇସ୍ତଫା ଦେଇଥିଲେ ସାଂସଦ ସସ୍ମିତ ପାତ୍ର‌। ନିଶିକାନ୍ତ ଦୁବେ ଏହି କମିଟିର ଅଧ୍ୟକ୍ଷ ଥିବାରୁ ତାଙ୍କୁ ବିରୋଧ କରି ସସ୍ମିତ ଇସ୍ତଫା ଦେଇଥିଲେ।