ହାଇଟେକ୍ ମେଡିକାଲ୍ କଲେଜରେ ଏଆରଟି ସେଣ୍ଟର ଉଦ୍‌ଘାଟିତ

ମାଗଣାରେ ଆଣ୍ଟି-ରେଟ୍ରୋଭାଇରାଲ୍ ଔଷଧ ଯୋଗାଇବା ସହ ରୋଗୀର ଭାଇରାଲ୍ ଲୋଡ୍ ଜାଣିହେବ

ଭୁବନେଶ୍ବର, ୩୦/୦୩: ହାଇଟେକ୍ ମେଡିକାଲ କଲେଜ୍‌ ଓ ହସପିଟାଲ ପରିସରରେ ଏଆରଟି ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଏବଂ ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ ଏଆରଟି ସେଣ୍ଟରକୁ ଲୋକାର୍ପିତ କରିଛନ୍ତି। ଓଡ଼ିଶା ରାଜ୍ୟ ଏଡସ୍ କଣ୍ଟ୍ରୋଲ ସୋସାଇଟି ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏଆରଟି ସେଣ୍ଟର ସେବା ଓ କାର୍ଯ୍ୟକାରିତା ସଂପର୍କରେ କହିଥିଲେ। ଏଚ୍.ଆଇ.ଭି ରୋଗୀଙ୍କ ସହିତ ବଞ୍ଚୁଥିବା ବ୍ୟକ୍ତିଙ୍କ ପାଇଁ ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି ବା ଏଆରଟି କେନ୍ଦ୍ର ଏକ ବ୍ୟାପକ ସେବା କେନ୍ଦ୍ର ଭାବରେ କାର୍ଯ୍ୟ କରିଥାଏ। ଏଚଆଇଭି ରୋଗୀ ଓ ସେମାନଙ୍କ ସହ ରହୁଥିବା ଲୋକଙ୍କୁ ଏହା କେନ୍ଦ୍ରରେ ମାଗଣାରେ ଆଣ୍ଟି-ରେଟ୍ରୋଭାଇରାଲ୍ ଔଷଧ ଯୋଗାଇ ଦିଆଯିବା ସହ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ଏବଂ ଭାଇରାଲ୍ ଲୋଡ୍ ଜାଣିବା ପାଇଁ ପରୀକ୍ଷା କରାଯିବ। ଏଆରଟି କେନ୍ଦ୍ରରେ ସଂକ୍ରମଣ ଯୋଗୁଁ ଶରୀରରେ ଦେଖାଦେଉଥିବା ଅନ୍ୟାନ୍ୟ ଆନୁଷଙ୍ଗିକ ରୋଗ ବା ସଂକ୍ରମଣର ଚିକିତ୍ସା କରାଯିବା ସହ ରୋଗୀଙ୍କୁ ନିୟମିତ ଔଷଧ ଖାଇବା ପାଇଁ ପରାମର୍ଶ ଦିଆଯିବ ଏବଂ ଏହାର ପାର୍ଶ୍ବ ପ୍ରତିକ୍ରିୟା ପରିଚାଳନା କରାଯିବ। ଉଦ୍‌ଘାଟନୀ ଉତ୍ସବରେ ମେଡିକାଲ କଲେଜ ଅଧ୍ଯକ୍ଷ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର, ପ୍ରଫେସର ରବିନ୍ଦ୍ରନାଥ ବେହେରା, ସିଓଓ ଜ୍ୟୋର୍ତୀମୟ ପଣ୍ଡାଙ୍କ ସମେତ ସମସ୍ତ ଡାକ୍ତର, ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।