୬ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି । ୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଞ୍ଜନ ସିଂଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ୧୯୮୭ ମସିହା ବ୍ୟାଚ୍ ଆଇଏଏସ୍ ଆର କେ ଶର୍ମାଙ୍କୁ ବୋର୍ଡ ଅଫ ରେଭନ୍ୟୁ ମେମ୍ବର(ରାଜସ୍ୱ ପର୍ଷଦ ସଦସ୍ୟ) ଭାବେ ଅବସ୍ଥାପିତ କରାଯାଇଛି ।

ଆସନ୍ତା ୩୧ତାରିଖରେ ୨ ବରିଷ୍ଠ ଆଇଏଏସ୍ ଜିଭିଭି ଶର୍ମା ଓ ମଧୁସୂଦନ ପାଢ଼ୀ ସରକାରୀ ଚାକିରିରୁ ଅବସର ନେବେ । ଏଥିସହ ଗୃହ ସଚିବ ସଞ୍ଜିବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯିବେ। ତେଣୁ ମୋଟ ୬ଜଣ ବରିଷ୍ଠ ଆଇଏଏସଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜିଭିଭି ଶର୍ମା ୩୧ତାରିଖରେ ଅବସର ନେବାପରେ ସେ ବୋର୍ଡ ଅଫ ରେଭନ୍ୟୁର ମେମ୍ବର ଭାବେ କାର୍ଯ୍ୟ କରିବେ ।

୧୯୮୭ ବ୍ୟାଚ୍ ଆଇଏଏସ୍ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଡିଜି ଆରକେ ଶର୍ମାଙ୍କୁ ବୋର୍ଡ ଅଫ ରେଭନ୍ୟୁ ମେମ୍ବର ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଦାୟିତ୍ୱ ମଧ୍ୟ ତୁଲାଇବେ ।