ସିବିଏସ୍‍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା

୯୯.୮ ପ୍ରତିଶତ ନମ୍ବର ରଖି ଅଦ୍ୱେୟ ଷଡ଼ଙ୍ଗୀ ସ୍କୁଲର ଟପ୍ପର

ଭୁବନେଶ୍ୱର, ୧୫/୦୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଏଥିରେ ଦଶମ ଶ୍ରେଣୀରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍‍ର ଛାତ୍ର ଅଦ୍ୱେୟ ଷଡ଼ଙ୍ଗୀ ସର୍ବାଧିକ ୯୯.୮ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଥିବା ବେଳେ ଛାତ୍ରୀ ସ୍ୱସ୍ତିକା ମିଶ୍ର ୯୯.୪ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ସମସ୍ତ ଛାତ୍ର ପ୍ରଥମ ଶ୍ରେଣୀରେ ପାସ୍‍ କରିଥିବ ବେଳ ୭୦ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

ସେହିପରି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ରେ ସ୍ପେଶିଆଲ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସେନ୍‍ ଗ୍ଲୋବ୍‍ ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବେଶ ସନ୍ତୋଷଜନକ ସଫଳତା ହାସଲ କରିଛନ୍ତି । ସେନ୍‍ ଗ୍ଲୋବ ଛାତ୍ର ସାତ୍ୱିକ ସନ୍ତୋଷ ତ୍ରିପାଠି ସର୍ବାଧିକ ୯୫.୪ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି ।

ପରୀକ୍ଷା ଫଳାଫଳରେ ଖୁସି ବ୍ୟକ୍ତ କରି ଅଦ୍ୱେୟ ସ୍କୁଲ୍‍ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଶିକ୍ଷକ ଶିକ୍ଷୟିତ୍ରୀ, ସହପାଠୀ ଓ ପରିବାର ଲୋକଙ୍କୁ ତାଙ୍କର ଶ୍ରେୟ ଦେଇଛନ୍ତି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ରେ ଯୋଗଦେବା ମୋ ପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।

ସ୍କୁଲ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କୁ ସମୟ ଉପଯୋଗୀ ପରାମର୍ଶ ଯୋଗୁଁ ଦୀର୍ଘ ୧୮ବର୍ଷ ହେଲା ଏହି ସଫଳତା ସମ୍ଭବ ହୋଇଆସୁଛି। ଏଥିପାଇଁ ସେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ଏବଂ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ସେନ୍‍ ଗ୍ଲୋବର ଛାତ୍ରଛାତ୍ରୀମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇପାରୁଥିବାରୁ ସେମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି। ମାନସିକସ୍ତରରେ ସେମାନେ ଦୁର୍ବଳ ଥିଲେ ମଧ୍ୟ ବହୁ କଷ୍ଟକରି ସେମାନେ ସଫଳତା ପାଇବା ସ୍କୁଲ୍‍ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

 

କଲରାବାଙ୍କ ଇଂଲିଶ ମିଡିୟମ୍‍ ସ୍କୁଲ୍‍:

କଲରାବାଙ୍କ ଇଂଲିଶ ମିଡିୟମ୍‍ ସ୍କୁଲ୍‍ ରେ ମଧ୍ୟ ସିବିଏସ୍‍ଇ ଦଶମ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ୍‍ କରିଛନ୍ତି। ସ୍କୁଲ୍‍ର ଦିବ୍ୟଜ୍ୟୋତି ଦୀପଙ୍କର ସାହୁ ସର୍ବାଧିକ ୯୮% ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି। ଏହି ସଫଳତାରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସ୍କୁଲ୍‍ର ଅଧ୍ୟକ୍ଷ ଅଶୋକ କୁମାର ପରିଡ଼ାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।