ମୁଖ୍ୟ ଶାସନ ସଚିବଙ୍କ ସହିତ ଜିଲ୍ଲାପାଳମାନଙ୍କ ବୈଠକ
ସିଏମ୍-ସମ୍ପଦା ଏବଂ ସାମାଜିକ କ୍ଷେତ୍ରରେ ପ୍ରଗତି ତଦାରଖ ବ୍ୟବସ୍ଥା “ପ୍ରୟାସ” କାର୍ଯ୍ୟକାରିତା ନେଇ ଆଲୋଚନା
ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ପର୍କିତ ଜିଲ୍ଲାସ୍ତରୀୟ କାର୍ଯ୍ୟ ସମୀକ୍ଷା ଓ ପରାମର୍ଶ
ଭୁବନେଶ୍ୱର, ୧୬/୦୪: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହିତ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କର ଏକ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିବା ସଂପୃକ୍ତ ବିଭାଗର ସଚିବମାନେ ଯୋଗଦେଇଥିବା ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ । ବୈଠକରେ ପ୍ରଶିକ୍ଷଣରେ ଥିବା ୨୦୨୪ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ବୈଠକରେ ‘ସିଏମ-ସମ୍ପଦା’ କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଥିଲା । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଉପଯୋଗରେ ଖଣି ପ୍ରଭାବିତ ଅଂଚଳରେ ଗୁଣାତ୍ମକ ଜୀବନଶୈଳୀ, ସ୍ୱାସ୍ଥ୍ୟ ସେବା, ନିରାପଦ ପାନୀୟଜଳ, ଶିକ୍ଷା, ଭିତ୍ତିଭୂମି ଆଦି କ୍ଷେତ୍ରରେ ବ୍ୟକ୍ତିଗତ ଓ ସାମୁହିକ ମୌଳିକ ସୁବିଧା ଏବଂ ବିକାଶମୂଳକ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ “ସିଏମ୍-ସଂପଦା” ତଦାରଖ ଓ ସମୀକ୍ଷା ପ୍ଲାଟଫର୍ମ କାର୍ଯ୍ୟକାରୀ ହୋଇଛି । ଏଥିପାଇଁ ରାଜ୍ୟର ସିଏମ-ସଂପଦା ଟିମ୍ ଦ୍ୱାରା ଖଣିଜ ପ୍ରଭାବିତ ଗ୍ରାମ ଗୁଡିକର ତାଲିକା ପ୍ରସ୍ତୁତି କରାଯାଇଛି, ଯଦ୍ୱାରା କି ସେସବୁ ଅଂଚଳରେ ବିକାଶ ତ୍ୱରାନ୍ୱିତ ହୋଇପାରିବ । ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ସିଏମ୍-ସମ୍ପଦାର କାର୍ଯ୍ୟକାରିତା ନେଇ ତଥ୍ୟର ଅନୁଧ୍ୟାନ କରିବା ସଂପର୍କରେ ବୈଠକ କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା ।
ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ କରାଯାଉଥିବା ଜଳସେଚନ ଗଣନା ସଂପର୍କରେ ଉପସ୍ଥାପନ କରାଯାଇଥିଲା । ୭ମ କ୍ଷୁଦ୍ର ଜଳସେଚନ ଗଣନା, ୨ୟ ଜଳାଶୟ ଗଣନା, ୧ମ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଗଣନା ଏବଂ ପ୍ରଥମ ଝରଣା ଗଣନା ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ପ୍ରଥମ ଥର କରି ରାଜ୍ୟରେ ଝରଣା ଗଣନା କାର୍ଯ୍ୟକ୍ରମ କରାଯାଉଛି, ଯାହାର ତଥ୍ୟ ଭୂତଳ ଜଳ ପରିଚାଳନା ଓ ସଂପୃକ୍ତ ଅଂଚଳରେ ପରିବେଶୀୟ ସନ୍ତୁଳନରେ ସହାୟକ ହେବ । ଝରଣା ଗଣନା କାର୍ଯ୍ୟକ୍ରମକୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜଳସେଚନ ଗଣନା ସଂପର୍କିତ ଜିଲ୍ଲାସ୍ତରୀୟ ଉପ କମିଟି ଗଠନ କରାଯାଇଥିବା ବେଳେ ସମସ୍ତ ଜଳସେଚନ ଗଣନା କାର୍ଯ୍ୟକୁ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବା, ଗଣନା କାର୍ଯ୍ୟରେ ଗୁଣାତ୍ମକତା ରହିବା ଓ ଠିକ ସମୟରେ କାର୍ଯ୍ୟ ସାରିବାକୁ ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା ।
ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପର୍କିତ ମାତୃ ଓ ଶିଶୁ ମୃତ୍ୟୁ ଜନିତ କାରଣ ଓ ଏହାକୁ ହ୍ରାସ କରିବା ପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା, ଚିକିତ୍ସା ମାର୍ଗ ଦର୍ଶିକାର ସଠିକ୍ ଅନୁପାଳନ, ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ଜିଲ୍ଲା, ବ୍ଲକ ଓ ସେକ୍ଟର ସ୍ତରରେ ନିୟମିତ ସମୀକ୍ଷା ବୈଠକ ହେବା ସଂପର୍କରେ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିଲା । “ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା” ଏବଂ “ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା” କାର୍ଡ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।
ବଡ ବଡ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ନେଇ ରହୁଥିବା ସମସ୍ୟାର ସମାଧାନ ଦିଗରେ “ପ୍ରଗତି” ଡିଜିଟାଲ ମନିଟରିଂ ପ୍ଲାଟଫର୍ମର ସଫଳତା ପରେ ସେହିଭଳି ସାମାଜିକ କ୍ଷେତ୍ରରେ ଉତ୍ତମ ଫଳାଫଳ ଅଗ୍ରଗତି ସୁନିଶ୍ଚିତ କରିବା ପାଇଁ ସକ୍ରିୟ ପଦକ୍ଷେପ “ପ୍ରୟାସ” ବୈଷୟିକ ଜ୍ଞାନ କୌଶଳଭିତ୍ତିକ ପଦକ୍ଷେପକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହା ସ୍ୱାସ୍ଥ୍ୟ,ପୋଷଣ, ଶିକ୍ଷା, ସୁରକ୍ଷିତ ପାନୀୟ ଜଳ, ସ୍ୱଚ୍ଛତା ଅଭ୍ୟାସ ତଥା ପରିମଳ ରକ୍ଷା ଆଦି ବ୍ୟବସ୍ଥାକୁ ତଦାରଖ ଓ ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନେବାରେ ସହାୟତା କରିବ । ଏହାର କାର୍ଯ୍ୟକାରିତା ନେଇ ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରରେ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଥିଲା ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟକାରିତାକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ଗ୍ରୀଷ୍ମଛୁଟି ପୂର୍ବରୁ ବିଦ୍ୟାଳୟଗୁଡ଼ିକରେ ସ୍କୁଲ ୟୁନିଫର୍ମ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଅସୁରକ୍ଷିତ ଅବସ୍ଥାରେ ଥିବା ବିଦ୍ୟାଳୟ କ୍ୟାମ୍ପସଗୁଡ଼ିକୁ ଚିହ୍ନଟ କରିବା ଏବଂ ଆବଶ୍ୟକ ମରାମତି କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପିଲାମାନଙ୍କର ପୁଷ୍ଟିହୀନତା ତଥ୍ୟକୁ ପୋଷଣ ଟ୍ରାକରରେ ସଠିକ୍ ଭାବେ ଅପଡେଟ୍ କରି ତଦନୁସାରେ ବ୍ୟବସ୍ଥା ଗ୍ରହଣ କରାଯିବା ଏବଂ ଟେକ୍ ହୋମ ରାସନ ପ୍ରକ୍ରିୟା ତଦାରଖ ପାଇଁ ସ୍ୱୟଂ ସହାୟକ ୟୁନିଟ୍ ଗୁଡ଼ିକରେ ସିସିଟିଭି ବ୍ୟବସ୍ଥାକୁ ସୁନିଶ୍ଚିତ ଓ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ସୁଭଦ୍ରା ପୋର୍ଟାଲରେ ନୂଆ ହିତାଧିକାରୀଙ୍କ ପାଇଁ ପଞ୍ଜୀକରଣ ଜାରି ରହିଥିବା ବେଳେ ଏହି ଯୋଜନାରେ ପୂର୍ବରୁ ଆବେଦନ କରିଥିବା ଆବେଦନଗୁଡ଼ିକ ସଂପର୍କରେ କ୍ଷେତ୍ର ପରିଦର୍ଶନ ଓ ଯାଂଚ କରି ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।