ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା; ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ବିପର୍ଯ୍ୟସ୍ତ: ବିଜେଡି

ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିବ

ଅଭିଯୁକ୍ତକୁ ଗିରଫ କରି ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ

ଭୁବନେଶ୍ୱର, ୨୧/୦୪: ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଥିବା ଘଟଣା ଲୋକଲୋଚନକୁ ଆସିବା ପରେ, ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ ।

ବିଜୁ ଜନତା ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଶ୍ରୀ ଦାସବର୍ମା କହିଥିଲେ, ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏହାକୁ ନେଇ ବିଜେଡି ଓ ଅନ୍ୟ ବିରୋଧୀ ଦଳ ମାନେ ବାରମ୍ୱାର ସ୍ୱର ଉତ୍ତୋଳନ କରିଆସୁଥିଲେ ମଧ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେବାରେ ସଫଳ ହୋଇନାହାନ୍ତି । ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ଏଭଳି ଘଟଣାମାନ ବାରମ୍ୱାର ଦେଖିବାକୁ ମିଳୁଛି । ବ୍ରହ୍ମଗିରି ଅଞ୍ଚଳରେ ଥିବା ଚିଲିକା ଅନ୍ୟ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ । ଏହିଭଳି ଘଟଣା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପଡୁଛି । ତେଣୁ ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଶ୍ରୀ ଦାସବର୍ମା କହିଥଲେ, ଘଟଣା ସମ୍ୱନ୍ଧରେ ସମସ୍ତ ବିବରଣୀ ସଂଗ୍ରହ କରିବା ପାଇଁ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳକୁ ଯାଇ ଓ ପୀଡ଼ିତାଙ୍କୁ ଭେଟି ସମସ୍ତ ତଥ୍ୟ ସଂଗ୍ରହ କରିବ । ଏହାପରେ ବିଜେଡି ତାର ମତ ରଖିବ ।