କୋରାପୁଟ, ୦୪/୧୦: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ନିକଟରେ ସିଭିଲ୍ ନିର୍ମାଣ କାମରେ ନିୟୋଜିତ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ର ବାର୍ଲା ହାଣ୍ଡି ଗାଁର ପ୍ରେମରାଜ ବିଶୋଇ।
ସୂଚନା ଅନୁସାରେ, ପ୍ରେମରାଜ ଅନକାପଲ୍ଲୀ ନିକଟରେ ଚାଲିଥିବା ଏକ ସିଭିଲ୍ ନିର୍ମାଣ ପ୍ରକଳ୍ପରେ ଶ୍ରମିକ ଭାବେ କାମ କରୁଥିଲେ। କାମ କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ଆସିଛି। ତେବେ ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ଘଟଣା ପରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଥିଲା। ତେବେ ମୃତଦେହ ଆସିବା ପରେ ଗାଁ ଲୋକେ ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଆମ୍ବୁଲାନ୍ସରେ ମୃତକଙ୍କୁ ଆବଶ୍ୟକ ଚିକିତ୍ସା ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁର ପରିସ୍ଥିତି ନେଇ ତଦନ୍ତ ଆରମ୍ଭ କରିଛି। ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସକୁ ଅଟକ ରଖିଛି ପୋଲିସ।