ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ହେବ ଭିଜିଲାନ୍ସ ତଦନ୍ତ

ଖୋଲିବ ୨୦ ବର୍ଷ ତଳର ମାଲେସିଆନ ଇଞ୍ଜିନିୟର ମୃତ୍ୟୁ ଫାଇଲ

ନୂଆଦିଲ୍ଲୀ, ୦୪/୧୦: ପୁଣି ଅଡୁଆରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୨୦ ବର୍ଷ ତଳର ମାମଲାକୁ ନେଇ ଫସିଲେ ଜ୍ଞାନେଶ। ପୁଣି ଖୋଲିବ ମାଲେସିଆନ ଇଞ୍ଜିନିୟର ମୃତ୍ୟୁ ମାମଲା ଫାଇଲ।କେରଳର ପବ୍ଲିକ୍ ୱର୍କ୍ସ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ବିରୋଧରେ ଉଠିଥିବା ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେରଳ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ରାଜ୍ୟର ଭିଜିଲାନ୍ସ ଆଣ୍ଡ ଆଣ୍ଟି-କରପ୍ସନ ବ୍ୟୁରୋ (VACB) ନିର୍ଦ୍ଦେଶକଙ୍କୁ ଏହି ମାମଲାରେ ବିସ୍ତୃତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ସହ ଜଡ଼ିତ ୨୦୦୬ ମସିହାରେ ମାଲେସିଆର ସିଭିଲ୍ ଇଞ୍ଜିନିୟର ଲି ସି ବିନ୍‌ଙ୍କ ଆତ୍ମହତ୍ୟା ଘଟଣାର‌ ମଧ୍ୟ ତଦନ୍ତ ହେବ। ବିନ୍ ଇଣ୍ଡୋ-ମାଲେସିଆନ୍ ଉଦ୍ୟୋଗ ପତି-ବେଲର ମୁଖ୍ୟ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ସେ କୁଆଲାଲମ୍ପୁରରେ ଆତ୍ମହତ୍ୟା କରିଥିଲେ।

ପତି-ବେଲ କେରଳର ମ୍ୟୁନିସିପାଲଟି ଅଞ୍ଚଳରେ ରାସ୍ତାର ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ଥିଲା। ପ୍ରାୟ ୨୪୦ କିଲୋମିଟର ଲମ୍ବା ଏହି ରାଜପଥ ଥିରୁବନନ୍ତପୁରମ୍‌କୁ ଅଙ୍ଗମାଲି ସହ ଯୋଡ଼ିଥାଏ। କେରଳ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ ଅଧୀନରେ ଏହି ରାସ୍ତାର ଉନ୍ନତିକରଣ କାମର ଦାୟିତ୍ୱ ନେଇଥିଲା ପତି-ବେଲ।

ଗୃହମନ୍ତ୍ରୀ ଚେନ୍ନିଥାଲାଙ୍କ କହିବା ଅନୁସାରେ, ବିନ୍ ଛାଡ଼ିଯାଇଥିବା ଏକ ସୁଇସାଇଡ ନୋଟ୍‌ରେ ଜ୍ଞାନେଶ କୁମାରଙ୍କ ନାଁ ଉଲ୍ଲେଖ ଥିଲା। ସେତେବେଳେ କୁମାର କେରଳ ପିଡବ୍ଲ୍ୟୁଡି କାର୍ଯ୍ୟରତ ଥିଲେ। ବିନ୍‌ଙ୍କ ମୃତ୍ୟୁ ପରେ ୨୦୦୬ରେ ଏକ ଭିଜିଲାନ୍ସ ତଦନ୍ତ ଆରମ୍ଭ ପାଇଁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଏହା ଆଗକୁ ବଢ଼ିନଥିଲା।

କଂଗ୍ରେସ ନେତା ମାଲୟାଙ୍କୀଝୁ ଭେଣୁଗୋପାଳଙ୍କ ଅଭିଯୋଗ ଆଧାରରେ ଏବେ ପୁଣିଥରେ ଏହି ମାମଲାର ତଦନ୍ତ ଆରମ୍ଭ କରାଯାଉଛି। ଅଭିଯୋଗକାରୀଙ୍କ ଦାବି ହେଉଛି, ପୂର୍ବରୁ ହୋଇଥିବା ତଦନ୍ତକୁ ଜାଣିଶୁଣି ପ୍ରଭାବିତ କରାଯାଇଥିଲା ଏବଂ ବାହ୍ୟ ଚାପ ଯୋଗୁଁ ତଦନ୍ତକୁ ବନ୍ଦ କରାଯାଇଥିଲା। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ଭିଜିଲାନ୍ସ ତଦନ୍ତ ପରେ ସ୍ପଷ୍ଟ ହେବ।

ଅନ୍ୟପଟେ, PWD ସଚିବ ଭାବେ କାର୍ଯ୍ୟ କରୁଥିବା ସମୟରେ ସରକାରୀ କାମ ଠିକାଦାରଙ୍କୁ ଦେବାରେ କଥିତ ଅନିୟମିତତା ଓ ଦୁର୍ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ଉଲ୍ଲେଖ ଥିଲା ସୁଇସାଇଡ ନୋଟ୍ ରେ। ଦୁର୍ନୀତି, ଠିକାଦାରଙ୍କୁ ହଇରାଣ, ବିଲ୍ କ୍ଲିୟରାନ୍ସରେ ବିଳମ୍ବ ନେଇ ନୋଟରେ ଲେଖା ହୋଇଥିଲା।

ତେବେ ଜ୍ଞାନେଶ କୁମାରଙ୍କୁ ନେଇ ରାଜନୈତିକ ବିବାଦ ମଧ୍ୟରେ ପୁଣି ଏହି ନୂଆ ତଦନ୍ତ ନିର୍ଦ୍ଦେଶ ଆସିଛି। ଦେଶବ୍ୟାପୀ ଭୋଟର ତାଲିକାର ଏସଆଇଆରକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳ ଓ ଯୁବ ସଂଗଠନ ସିଜେପି ପକ୍ଷରୁ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ଜାରି ରହିଛି।