ବାରଙ୍ଗ ଗଙ୍ଗେଶ୍ୱର ଅଞ୍ଚଳରୁ ଗ୍ୟାସ୍ ସିଲିଣ୍ଡର୍ ସହ ବହୁ ଆନୁଷଙ୍ଗିକ ସାମଗ୍ରୀ ଜବତ

ବାରଙ୍ଗ ତହସିଲଦାରଙ୍କ ନେତୃତ୍ୱରେ ଚଢ଼ାଉ

କଟକ, ୨୩/୦୪: କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଏଲ ପି ଜି ଗ୍ୟାସ୍ ସିଲିଣ୍ଡର୍ କଳାବଜାରୀ ରୋକାଯିବା ପାଇଁ ସମ୍ପୃକ୍ତ ଅଧିକାରୀମାନେ ବିଭିନ୍ନ ସମୟରେ ଚଢ଼ାଉ ଜାରି ରଖିବା ସହ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଆଜି ବାରଙ୍ଗ ଅଞ୍ଚଳରେ କଳାବଜାରୀ ହେଉଥିବା ସମ୍ବନ୍ଧରେ ଏକ ସୂଚନା ପାଇ ସ୍ଥାନୀୟ ବାରଙ୍ଗ ତହସିଲଦାର ଡ଼ଃ ତୁଷାର ଜ୍ୟୋତିରଂଜନଙ୍କ ନେତୃତ୍ୱରେ ଏକ ପ୍ରବର୍ତ୍ତନକାରୀ ଦଳ ବାରଙ୍ଗ ତହସିଲ ଅନ୍ତର୍ଗତ ଗଙ୍ଗେଶ୍ୱର ମୌଜା ଅଞ୍ଚଳରେ ଚଢ଼ାଉ କରିଛନ୍ତି।

ସେ ଅଞ୍ଚଳରେ ଛାନବିନ କରି ତଦାରଖ କରିବା ପରେ ଏକ ଖାଲି ଗୋଦାମ ଘରୁ ବ୍ୟବସାୟୀକ ୯୨ଟି, ଘରୋଇ ୩୫୩ଟି, ଛୋଟ (୫କି.ଗ୍ରା) ୭୯ଟି ଗ୍ୟାସ୍ ସିଲିଣ୍ଡର୍ ସମୁଦାୟ ୫୨୪ଟି ଗ୍ୟାସ୍ ସିଲିଣ୍ଡର୍ ଜବତ କରାଯିବା ସହ ୧୩ଟି ରିଫିଲିଙ୍ଗ ମଟର,୪ଟି ଓଜନ ମାପ ଯନ୍ତ୍ର,୫ଟି ଗ୍ୟାସ୍ ଚୁଲା ଆଦି ଜବତ କରାଯାଇଛି। ଏଥି ସହ ଗ୍ୟାସ୍ ସିଲିଣ୍ଡର୍ ଭରି ରହିଥିବା ଏକ ମହିନ୍ଦ୍ରା ଯାନକୁ ମଧ୍ୟ ଜବତ କରାଯାଇଛି ବୋଲି ବାରଙ୍ଗ ତହସିଲଦାର ଡ଼ଃ ଜ୍ୟୋତିରଂଜନ ସୂଚନା ପ୍ରଦାନ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ(EC Act) ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି।

ଚଢ଼ାଉ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସଦର ପୋଲିସ ଅତିରିକ୍ତ ଆଇ ଆଇ ସି, ପ୍ରଶାନ୍ତ କୁମାର ପାଣି ସଦର,ସହର ଓ ଆଠଗଡ ଅତିରିକ୍ତ ଯୋଗଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ, ଦୀପକ କୁମାର ଦାସ,ବିଷ୍ଣୁ ଚରଣ ପରିଡ଼ାଙ୍କ ସମେତ ସ୍ଥାନୀୟ ଯୋଗାଣ ପରିଦର୍ଶକମାନେ ଉପସ୍ଥିତ ଥିଲେ।