ଭୁବନେଶ୍ୱର, ୨୫/୦୪: ପୂର୍ବତନ ବିଜେଡି ମନ୍ତ୍ରୀ ସ୍ୱର୍ଗତ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର ଦୁଇ ଦିନ ପୂର୍ବରୁ ବନ ବିଭାଗ ଭାଙ୍ଗି ଦେଇଛି। ଜଗତସିଂପୁର ଜିଲ୍ଲାରେ ବାଲି ଯାତ୍ରା କମିଟି ଦ୍ୱାରା ଶିଆଳି ବେଳାଭୂମି ନିକଟରେ ଦାମ ରାଉତଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା ଏବଂ ରବିବାର ଆନୁଷ୍ଠାନିକ ଭାବରେ ଏହାକୁ ଉନ୍ମୋଚନ କରାଯିବାର ଯୋଜନା ଥିଲା। ଉନ୍ମୋଚନ ଉତ୍ସବ ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା। ହେଲେ ଏହା ପୂର୍ବରୁ ହିଁ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛି ବନ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ ଆବଶ୍ୟକୀୟ ଅନୁମତି ନ ନେଇ ଜଙ୍ଗଲ ଜମିରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ଯେଉଁଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବନ ବିଭାଗ।
ତେବେ ଏହି ଘଟଣାକୁ ନେଇ ସାଂସଦ ବିଭୁପ୍ରସାଦ ତରାଇ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।
ପୁଅ ସମ୍ବିତ ରାଉତରାୟ ପ୍ରତିକ୍ରିୟା ରଖି କହିଛନ୍ତି, ଏରସମାର ଶିଆଳିକୁ ବିକଶିତ କରିଥିଲେ ଦାମୋଦର ରାଉତ। ସେଠିକାର ଲୋକେ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥାନ୍ତେ। ଆସନ୍ତା ୨୬ ତାରିଖରେ ଉଦ୍ଘାଟନ କରିଥାନ୍ତେ ସାଂସଦ ବିଭୂତରାଇ। କିନ୍ତୁ ଜିଲ୍ଲା ପ୍ରଶାସନ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଲା। ପ୍ରଶାସନ ଭାଙ୍ଗିବା ପରିବର୍ତ୍ତେ ସ୍ଥାନାନ୍ତରିତ କରି ପାରି ଥାନ୍ତା। ପ୍ରଶାସନର ଏହା ଔଦ୍ଧତ୍ୟ, ମୁଁ ଏହାକୁ ଗ୍ରହଣ କରି ପାରୁ ନାହିଁ।