ନୂଆପଡ଼ା କୁଳେଶ୍ୱର ଗ୍ରାମପଞ୍ଚାୟତରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧରେ ବଡ଼ ଚଢ଼ାଉ

୫,୧୦୦ ଟଙ୍କା ଜରିମାନା ଆଦାୟ

ନୂଆପଡ଼ା, ୨୫/୦୪(ଦିଳିପ ଦଳପତି): ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧରେ ଜିଲ୍ଲା ପ୍ରଶାସନର ଅଭିଯାନକୁ ଆହୁରି ସକ୍ରିୟ କରିବା ପାଇଁ ଆଜି କୋମନା ବ୍ଲକର କୁଳେଶ୍ୱର ଗ୍ରାମପଞ୍ଚାୟତ ଅଞ୍ଚଳର ବିଭିନ୍ନ ଦୋକାନ, ହାଟବଜାର ଓ ହୋଟେଲଗୁଡ଼ିକରେ ଚଢ଼ାଉ କରାଯାଇଛି।

ଏହି ଚଢ଼ାଉ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ ନେତୃତ୍ୱରେ କରାଯାଇଥିଲା। ଏଥିରେ ବିଡିଓ ପବିତ୍ର ସାମଲ, ତହସିଲଦାର ସର୍ବେଶ୍ୱର ଜାଲ, ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଜିଲ୍ଲା ସୂଚନା କେନ୍ଦ୍ର (ଡିଆଇସି)ର ଜିଏମ୍‌ ସମୀର ମୁଦୁଲି, ସ୍ୱଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ଅନିଲ କୁମାର ଲେଙ୍କା ଜିଲ୍ଲା ପଞ୍ଚାୟତ ଅଧିକାରୀ ଳଛମନ ଓରାମ, ଜିଲ୍ଲା ମସ୍ୟ ଅଧିକାରୀ ଅରୁଣ ସାହୁ, ସହିତ ସ୍ଥାନୀୟ ସରପଞ୍ଚ ସତ୍ୟବାନ୍ ସାହୁ ଓ ପିଇଓ ଘନେଶ୍ଵର ତାଣ୍ଡି ଡମ୍ବରୁଧର ମାଝି ଉପସ୍ଥିତ ଥିଲେ, କିନ୍ତୁ ଉଦ୍ୟାନବଦ୍ଧ ଯେତେ ହୋଟେଲ ଦୋକାନ ମାଳିକଙ୍କ କହିବା ଅନୁଯାୟୀ ଗୋଟିଏ ରାସ୍ତା ରେ ପ୍ରଶାସନ ବାରମ୍ବାର ପଲିଥିନ ବ୍ୟାଗ ପ୍ଲାଷ୍ଟିକ ପ୍ଳେଟ ଜବତ୍ କରାଯାଉଛି କିନ୍ତୁ ଅନ୍ୟ ରାସ୍ତା (ବଲାଙ୍ଗିର) କୁ ମଧ୍ୟ ଯାଇ ହୋଟେଲ ଦୋକାନ ବଜାର ରୁ ପ୍ଳାଷ୍ଟିକ ପଲିଥିନ ଜବତ୍ କରିବା କଥା ତାହା ପ୍ରଶାସନ ଅଣ ଦେଖା କରୁଥିବାରୁ ଲୋକମାନଙ୍କ ମନ ଅସନ୍ତୋଷ ଦେଖିବାକୁ ମିଳୁଛି, ପ୍ରଶାସନକୁ ଲୋକମାନେ ସେ ଦିଗକୁ ମଧ୍ୟ ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରାଯାଇଛି ।

ଚଢ଼ାଉ ସମୟରେ ବିଭିନ୍ନ ଦୋକାନ ଓ ହୋଟେଲରୁ ପଲିଥିନ ବ୍ୟାଗ, ପ୍ଲାଷ୍ଟିକ ପ୍ଲେଟ୍‌ ଇତ୍ୟାଦି ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଥିଲା। ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀମାନଙ୍କ ଠାରୁ ମୋଟ ୫,୧୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖନୀୟ ଯେ, ନୂଆପଡ଼ା ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆଙ୍କ ନେତୃତ୍ୱରେ ଏହି ଅଭିଯାନ ଜୋରଦାର ଭାବେ ଚାଲିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକ ଓ ବ୍ୟବସାୟୀମାନଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଆହ୍ୱାନ କରା ଯାଇଛି।