କୁହୁଡ଼ି ଚାଦର ତଳେ ଓଡ଼ିଶାର କାଶ୍ମୀର

ଦାରିଙ୍ଗବାଡି: ସକାଳର କୁହୁଡ଼ି ଭିତରେ ସବୁଜିମା ପାହାଡ଼ କୋଳ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି । ଓଡିଶାର କାଶ୍ମୀର ଦାରିଙ୍ଗବାଡି ପାହାଡ଼ କୋଳରେ ସୋରିଷ ଫୁଲରେ ସକାଳର ପହିଲି କିରଣ ପର୍ଯ୍ୟଟକ ଓ ପଥଚାରୀଙ୍କୁ ମତୁଆଲା କରୁଛି । କୁହୁଡି ବଦଳାଇ ଦେଇଛି ପ୍ରକୃତିର ରୂପ । ଶୀତର ସତେ ଯେମିତି ଲାଜେଇଯାଇଛି ।

ପ୍ରକୃତି ‘କୋଳରେ ସୁନେଲି ଚାଦର ମନକୁ ଆନ୍ଦୋଳିତ କରୁଛି । ପ୍ରାତଃ ଭ୍ରମଣକାରୀଙ୍କ ଆଳସ୍ୟ ଦୂର କରି ଆନ ମନା କରୂଛି କୁହୁଡି ଫୁଲର ଅପୂର୍ବ ସମ୍ଭାର । ଦେଖଣାହାରୀ ଓ ପର୍ଯ୍ୟଟକଙ୍କୁ ନିଜ କୋଳରେ ଜାବୁଡ଼ି ଧରୁଛି କବିଙ୍କୁ ଭାବୁକ କରୁଛି । ଚଳିତ ବର୍ଷ ମାଳଭୂମିକୁ ବିଳମ୍ବରେ ଶୀତ ସ୍ଵଶ କରିଥିବାବେଳେ ଶୀତୁଆ ସକାଳର କୁହୁଡ଼ି ଭରା ଚାଦର, ଉପରେ ନୀଳବସ୍ତ୍ର ଆକାଶ ଭିତରେ ସବୁଜିମା ପାହାଡ଼ ସକାଳୁ ସକାଳୁ ପ୍ରାକୃତିକ ପରିବେଶରେ ଭରପୁର କନ୍ଧମାଳ ଜିଲ୍ଲାର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିକୁ ଶୀତ ରତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ବର୍ଷ ତମାମ ମାଳଭୂମିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥୁଲେ ମଧ୍ୟ ବିଶେଷ କରି ଶୀତ ଦିନେ ଦାରିଙ୍ଗବାଡିର ପ୍ରକୃତିର ମଜା ନେବା ପାଇଁ ଉପକୂଳ ଅଞ୍ଚଳ ଓ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସି ସମୟ ବିତାଇଥାନ୍ତି । ନଭେମ୍ବର ପହିଲାରୁ ଫେବୃୟାରୀ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ତେବେ ଏବେ ସେଠାରେ ଶୀତ ଅନୁଭୂତ ହେବା ପରେ ଶୀତବସ୍ତ୍ର ନ ପିନ୍ଧିଲେ ବାହାରକୁ ବାହାରିବା ସମ୍ଭବ ହେଉନାହିଁ ।

ସକାଳୁଆ ଖରା ଶୀତୁଆ ଶରୀରକୁ ବେଶ ସୁହାଉଛି । ସଞ୍ଜ ନଇଁଲେ ଠେଲା ଦୋକାନରେ ମଧ୍ୟ ଭିଡ଼ ଲକ୍ଷ୍ୟ କରାଯାଉଛି । ତାପମାତ୍ର କ୍ରମାଗତ ଭାବେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । ଯଦିଓ ପାରଦ ଦଶ ଡିଗ୍ରୀ ଉପରେ ରହୁଛି ତଥପି ନୂଆ ନୂଆ ପାଦ ଥାପୁ ଥିବା ଶୀତ ସମସ୍ତଙ୍କୁ ବିଭୋର କରିଛି ।