ଦେଶ ସେବା ପାଇଁ ସମର୍ପିତ ହୁଅ: ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍ ମେଡିକାଲ୍‌ କଲେଜର ଗ୍ରାଜୁଏସନ୍ ଡେ’ ପାଳିତ

ଭୁବନେଶ୍ୱର, ୨୯/୦୪: ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲର ୧୬ତମ ଗ୍ରାଜୁଏସନ ଡେ’ ପାଳିତ ହୋଇଛି। ୨୦୨୦-୨୧ବର୍ଷର ୧୫୦ଜଣ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ମାନଙ୍କୁ ଚରକ ଶପଥ କରାଯାଇ ଡିଗ୍ରୀ ପ୍ରଦାନ କରାଯାଇଛି। ଏହି ଅବସରରେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ନୂତନ ଡାକ୍ତର ମାନଙ୍କୁ ଗରିବ,ଅସହାୟ ରୋଗୀଙ୍କ ସେବାରେ ବ୍ରତି ହେବା ସହ ଦେଶ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ବାନ ଦେଇଥିଲେ ସେହିପରି, ଯେଉଁମାନଙ୍କ ତ୍ୟାଗ,ସମର୍ପଣ ଓ ନୀରବଛିନ୍ନ ସହାୟତା ଯୋଗୁ ନିଜକୁ ଡାକ୍ତର କରିପାରିଛନ୍ତି ସେହି ବାପା,ମାଆ,ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବାକୁ ଡକ୍ଟର ପାଣିଗ୍ରାହୀ କହିଛନ୍ତି। ଆୟୋଜିତ ଭବ୍ୟ ସମାରୋହରେ ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ ନୂତନ ଡାକ୍ତର ମାନଙ୍କୁ ଶୁଭେଛା ଜଣାଇଥିଲେ, ଜଣେ ଭଲ ଡାକ୍ତର ହେବା ସହ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଡିଏମ୍‌ଇଟି ପ୍ରଫେସର ଡାକ୍ତର ଦୂର୍ଗାମାଧବ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଡାକ୍ତରମାନେ ସେମାନଙ୍କ କର୍ମମୟ ଜୀବନରେ ସବୁବେଳେ ଉତ୍ସର୍ଗୀକୃତ ସେବା ମନୋଭାବ ସହ କାର୍ଯ୍ୟ କରିବା ଏବଂ ପ୍ରଥମେ ନିଜକୁ ସୁସ୍ଥ ରଖିଲେ, ସୁସ୍ଥ ସମାଜ ଗଠନ କରିବାରେ ସମର୍ଥ ହେବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଇଞ୍ଜନିୟର ରୁପେଶ ପାଣିଗ୍ରାହୀ, ଡାକ୍ତର ରାକେଶ ପାଣିଗ୍ରାହୀ, ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ନିର୍ଦ୍ଦେଶିକା ମଧୁସ୍ମିତା ତ୍ରିପାଠୀ, ହାଇଟେକ୍ ମେଡିକାଲ୍ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର,ମେଡିକାଲ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ତିୱାରୀ, ପ୍ରଶାସନିକ ଅଧିକାରୀ ଗୋପେଶ୍ୱର ଆଚାର୍ଯ୍ୟ, ଡାକ୍ତର ଅମ୍ରିତ ପାଟ୍ଟଯୋଶୀ,ଡାକ୍ତର ଚନ୍ଦନ ସାମନ୍ତରାୟ ଉପସ୍ଥିତ ଥିଲେ। ଡକ୍ଟର ଚିତ୍ତରଞ୍ଜନ ସାହାଣୀ ନୂତନ ଡାକ୍ତରମାନେ କର୍ମମୟ ଜୀବନ ସହ ପାରିବାରିକ ଜୀବନ ମଧ୍ୟରେ ସନ୍ତୃଳନ ରଖିବା ପାଇଁ ପରାମର୍ଶ ଦେଇଥିଲେ।