ମାଟ୍ରିକ ପରୀକ୍ଷାରେ ଲାଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରୀ କ୍ରୀଷ୍ଣାଙ୍କ ସଫଳତା
‘ଓଡ଼ିଆ ଅସ୍ମିତା’ ପକ୍ଷରୁ ସମ୍ବର୍ଦ୍ଧିତ
ବରଗଡ଼, ୦୩/୦୫: ଚଳିତ ବର୍ଷ ପ୍ରକାଶିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (AHSC) ୨୦୨୬ରେ ବରଗଡ଼ ଜିଲ୍ଲାର ଜଣେ କୃତୀ ସନ୍ତାନ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଶୁଶ୍ରୀ କ୍ରୀଷ୍ଣା ପତି। ଲାଦେରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଏହି ମେଧାବୀ ଛାତ୍ରୀ ମୋଟ ୫୬୩ ନମ୍ବର (୯୩.୮%) ରଖି ସମଗ୍ର ଅଞ୍ଚଳ ତଥା ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି।
କ୍ରୀଷ୍ଣାଙ୍କ ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଆଜି ‘ଓଡ଼ିଆ ଅସ୍ମିତା’ ପକ୍ଷରୁ ସାମାଜିକ କର୍ମୀ ସୁବ୍ରତ ବିର୍ତ୍ତିଆ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ଏହି କୃତିତ୍ୱ ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା ସାଜିବ ବୋଲି ଅନୁଷ୍ଠାନ ପକ୍ଷରୁ ମତପ୍ରକାଶ ପାଇଛି।
କ୍ରୀଷ୍ଣା ହେଉଛନ୍ତି ଏକ ଶିକ୍ଷିତ ତଥା ଆଦର୍ଶ ପରିବାରର କନ୍ୟା। ତାଙ୍କ ପିତା ଶ୍ରୀ ସଂଗ୍ରାମ କେଶରୀ ପତି, ବରଗଡ଼ ଜିଲ୍ଲା ଖରମୁଣ୍ଡା ସ୍ଥିତ ବରପାହାଡ଼ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ, ମାତା ମଞ୍ଜୁଶ୍ରୀ ସୂପକାର ଘଂଘାଟି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଭାବେ ଶିକ୍ଷାଦାନ କରୁଛନ୍ତି। ପିତାମାତା ଉଭୟ ଶିକ୍ଷାଦାନ ପେଷାରେ ଥିବାରୁ ଘରର ପାଠପଢ଼ା ପରିବେଶ ଓ ସଠିକ୍ ମାର୍ଗଦର୍ଶନ କ୍ରୀଷ୍ଣାଙ୍କୁ ଏହି ଶୀର୍ଷରେ ପହଞ୍ଚାଇବାରେ ସହାୟକ ହୋଇଛି।
ନିଜର ଏହି ସଫଳତା ପାଇଁ କ୍ରୀଷ୍ଣା ନିଜର ପିତାମାତା, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଗୁରୁଜୀ-ଗୁରୁମା ଏବଂ ନିଜର କଠିନ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ପରୀକ୍ଷା ପାଇଁ ସେ ନିୟମିତ ଭାବେ ଅଧ୍ୟୟନ କରିବା ସହ ବିଦ୍ୟାଳୟର ଶୃଙ୍ଖଳିତ ଶିକ୍ଷାଦାନ ପଦ୍ଧତିକୁ ଅନୁସରଣ କରୁଥିଲେ।
କ୍ରୀଷ୍ଣାଙ୍କ ଏହି ସଫଳତା ପରେ ଲାଦେରପାଲି ଏବଂ ତାଙ୍କ ନିଜ ଗ୍ରାମ ଅଞ୍ଚଳରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି। ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ‘ଓଡ଼ିଆ ଅସ୍ମିତା ପକ୍ଷରୁ କ୍ରୀଷ୍ଣାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଶ୍ରୀ ବିର୍ତ୍ତିଆ।