ନୂଆଦିଲ୍ଲୀ, ୦୩/୦୫: ରବିବାର ଭୋର ସମୟରେ ଦିଲ୍ଲୀର ବିବେକ ବିହାରରେ ଏକ ଚାରି ମହଲା ବିଶିଷ୍ଟ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ, ଏସି ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ପ୍ରାୟ ୧୨ଟି ଦମକଳ ଗାଡି ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ।
ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ନଅ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ମୃତଦେହ ବିଲ୍ଡିଂର ଦ୍ୱିତୀୟ ମହଲାରୁ ଉଦ୍ଧାର କରାଯାଇଥିଲା, ଅନ୍ୟ ତିନି ଜଣଙ୍କ ମୃତଦେହ ବିଲ୍ଡିଂର ପାହାଚରୁ ମିଳିଥିଲା। ପ୍ରଥମ ମହଲାରୁ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ପ୍ରଥମ ମହଲାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ନବୀନଙ୍କ ପତ୍ନୀ ଶିଖା ଜୈନ (୪୫)ଙ୍କ ମୃତଦେହ ମିଳିଛି।
ଦ୍ୱିତୀୟ ମହଲା (ପଛ ପାର୍ଶ୍ୱ)ରେ ଥିବା ମୃତକମାନେ ହେଲେ ଛୋଟେ ଲାଲଙ୍କ ପୁଅ ଅରବିନ୍ଦ (୬୦), ଅନିତା ଜୈନ (୫୮), ନିଶାନ୍ତ ଜୈନ (୩୫), ଆଞ୍ଚଲ ଜୈନ (୩୩) ଏବଂ ଏକ ବର୍ଷର ଶିଶୁ।
ତୃତୀୟ ମହଲାରେ ଥିବା ମୃତକମାନେ ଗୋଟିଏ ପରିବାରର ଥିଲେ: ନୀତିନ ଜୈନ (ପ୍ରାୟ ୫୦), ତାଙ୍କ ସ୍ତ୍ରୀ ଶୈଲି ଜୈନ (୪୮), ଏବଂ ସେମାନଙ୍କ ପୁଅ ସମ୍ୟକ ଜୈନ (୨୫)। ଏହି ଘଟଣାରେ ଚାରି ଜଣ ପୁରୁଷ, ଚାରି ଜଣ ମହିଳା ଏବଂ ଗୋଟିଏ ଶିଶୁ ପ୍ରାଣ ହରାଇଛନ୍ତି।
ଏପର୍ଯ୍ୟନ୍ତ ୧୨ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ, ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।
ଏହି ଅଗ୍ନିକାଣ୍ଡ ସମ୍ପର୍କରେ ୩ଟା ୪୭ରେ ପୋଲିସକୁ ଖବର ମିଳିଥିଲା। ଖବର ପାଇ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ସମୟ ପରେ ଅଗ୍ନିଶମ ଗାଡ଼ି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଏହି ଘାତକ ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।