ନୂଆଦିଲ୍ଲୀ, ୦୫/୦୫: ୟୁଏଇର ଫୁଜୈରାହରେ ହୋଇଥିବା ଆକ୍ରମଣରେ ତିନି ଜଣ ଭାରତୀୟ ନାଗରିକ ଆହତ ହେବା ପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ଏହି ଘଟଣାକୁ ‘ଅଗ୍ରହଣୀୟ’ ଏବଂ ‘ଗମ୍ଭୀର ଭାବରେ ଚିନ୍ତାଜନକ’ ବୋଲି ବର୍ଣ୍ଣନା କରିଛି। ବୈଦେଶିକ ମନ୍ତ୍ରଣାଳୟ ଜାରି ରହିଥିବା ଶତ୍ରୁତାକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଛି, ବିଶେଷକରି ଯେଉଁ ଶତ୍ରୁତା ସାଧାରଣ ନାଗରିକଙ୍କୁ ବିପଦରେ ପକାଉଛି କିମ୍ବା ସାଧାରଣ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଉଛି।
“ଫୁଜୈରାହ ଉପରେ ହୋଇଥିବା ଆକ୍ରମଣରେ ତିନି ଜଣ ଭାରତୀୟ ନାଗରିକ ଆହତ ହୋଇଥିଲେ, ଗ୍ରହଣୀୟ ନୁହେଁ। ଆମେ ଏହି ଶତ୍ରୁତାକୁ ତୁରନ୍ତ ବନ୍ଦ କରିବା ଏବଂ ନାଗରିକ ଭିତ୍ତିଭୂମି ଏବଂ ନିରୀହ ନାଗରିକଙ୍କୁ ଟାର୍ଗେଟ କରିବା ବନ୍ଦ କରିବାକୁ ଆହ୍ୱାନ କରୁଛୁ। ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆଲୋଚନା ଏବଂ କୂଟନୀତି ପ୍ରୟାସ ପାଇଁ ଠିଆ ହୋଇଛି, ଯାହା ଦ୍ଵାରା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ପୁନଃସ୍ଥାପିତ ହୋଇପାରିବ। ଆମେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ହର୍ମୁଜ୍ ପ୍ରଣାଳୀ ଦେଇ ମୁକ୍ତ ଏବଂ ଅବାଧ ନୌଚାଳନା ଏବଂ ବାଣିଜ୍ୟ ପାଇଁ ମଧ୍ୟ ଆହ୍ୱାନ କରୁଛୁ। ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସମସ୍ତ ପ୍ରୟାସକୁ ଭାରତ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି,” MEA ଏକ ବିବୃତ୍ତିରେ କହିଛି।
ସୂଚନାଯୋଗ୍ୟ, ସୋମବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସର ଏକ ତୈଳ ଡିପୋରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି। ଏହି ଘଟଣା ଫୁଜୈରାହ ପେଟ୍ରୋଲିୟମ୍ ଇଣ୍ଡଷ୍ଟ୍ରିଜ୍ ଜୋନ୍ (FOIZ)ରେ ଘଟିଛି ଏବଂ ଇରାନ ପଟୁ ମାଡ଼ ହୋଇଥିବା ଡ୍ରୋନ୍ ଆକ୍ରମଣ ଯୋଗୁଁ ଘଟିଥିବା ସୂଚନା ମିଳିଛି। ୟୁଏଇରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଏହି ଘଟଣାର ନିଶ୍ଚିତ କରିଛି।