ୱାଶିଂଟନ ଡିସି, ୦୫/୦୫: ସୋମବାର ଦିନ ହ୍ୱାଇଟ୍ ହାଉସ୍ ନିକଟରେ ଏକ ଗୁଳିକାଣ୍ଡ ହୋଇଛି। ଆମେରିକୀୟ ସିକ୍ରେଟ୍ ସର୍ଭିସ୍ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗୁଳି କରି ଆହତ କରିଛି।
ଘଟଣାଟି ହ୍ୱାଇଟ୍ ହାଉସ୍ ଠାରୁ ମାତ୍ର ଅଧା ମାଇଲ୍ ଦୂରରେ ୱାଶିଂଟନ୍ ସ୍ମାରକୀ ନିକଟରେ ଘଟିଥିଲା।
ଅପରାହ୍ନ ପ୍ରାୟ ୩:୩୦ ବେଳେ ସାଦା ପୋଷାକରେ ଥିବା ସିକ୍ରେଟ୍ ସର୍ଭିସ୍ ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ। ତାଙ୍କ ପାଖରେ ବନ୍ଧୁକ ଥିବା ଜଣାପଡ଼ିଥିଲା। ପୋଲିସ ତାଙ୍କ ପାଖକୁ ଯିବା ସମୟରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ଏବଂ ଅଧିକାରୀଙ୍କ ଉପରେ ଗୁଳି ଚଳାଇଥିଲେ।
ଅଧିକାରୀମାନେ ପାଲଟା ଗୁଳି ଚଳାଇବା ଫଳରେ ସେ ଆହତ ହୋଇଥିଲେ। ପରେ ତାଙ୍କୁ ଗିରଫ କରି ହସ୍ପିଟାଲକୁ ନେଇଯାଯାଇଛି। ତାଙ୍କ ପାଖରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି।
ତେବେ ସେହି ଅଞ୍ଚଳକୁ ଲକଡାଉନ କରାଯାଇଛି। ଜନସାଧାରଣ ମାନଙ୍କୁ ସେହି ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।