ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ସପ୍ତାହରେ ତିନି ଦିନ
ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩/୦୫: ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ। କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାକୁ ଅନୁମୋଦନ ଦେଇଛନ୍ତି। ଏହି ନୂତନ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି।
ଏହି ଟ୍ରେନଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ଏହି ନୂଆ ଟ୍ରେନ ଯୋଗୁଁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ପୁରୀକୁ ଅଧିକ ତୀର୍ଥଯାତ୍ରୀ ମଧ୍ୟ ଆସିପାରିବେ।
ଏହି ଟ୍ରେନ ସପ୍ତାହକୁ ତିନି ଥର ଚାଲିବ। ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ବାହାରିବ।
ଏହି ଟ୍ରେନରେ ୧୯ଟି ଷ୍ଟପେଜ୍ ରହିବ। ଏହି ଷ୍ଟପେଜ୍ ଗୁଡିକ ହେଲା- ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ-ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ବରଗଡ ରୋଡ୍, ବଲାଙ୍ଗିର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ଟିକିରି, ଲକ୍ଷ୍ମୀପୁର ରୋଡ୍, କିକିରିଗୁମା ଓ ଦାମନଯୋଡି।