ସମ୍ ନର୍ସିଂ କଲେଜ ଭୁବନେଶ୍ୱର ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ
‘ନର୍ସ ମାନେ ହେଉଛନ୍ତି ହିରୋ, ସେମାନଙ୍କୁ ସଶକ୍ତ କରିବାର ଜରୁରୀ’
ଭୁବନେଶ୍ୱର, ୧୪/୦୫: ସମ ନର୍ସିଂ କଲେଜ ଭୁବନେଶ୍ୱର ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ଉତ୍ସବ ପାଳନ କରାଯାଇଛି । ନର୍ସମାନେ ଦିବାରାତ୍ରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ରଖୁଥିବା ବେଳେ ସେମାନଙ୍କୁ ସଶକ୍ତ କରିବାର ପ୍ରଚେଷ୍ଟା ସମ୍ପର୍କରେ ଏହି ଦିବସ ପାଳନ ଅବସରରେ ଆଲୋଚନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ନ୍ୟାସ୍ନାଲ ଆଲାଏନ୍ସ ଅଫ୍ ୱିମେନ୍ ଇନ୍ ଇଣ୍ଡିଆ, ଓଡ଼ିଶା ଶାଖାର ସମ୍ପାଦିକା ଶ୍ରୀମତି ପ୍ରମିଳା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପ୍ରତ୍ୟେକ ମା’ ନର୍ସଙ୍କ ଭୂମିକା ତୁଲାଇଥାନ୍ତି । ଏହି ବୃତିକୁ ଆପଣାଉଥିବା ଛାତ୍ରଛାତ୍ରୀମାନେ ସମ୍ମାନର ସହ କାର୍ଯ୍ୟ କରନ୍ତୁ । ତେବେ ସେମାନଙ୍କୁ ସଶକ୍ତ ହେବାର ଆବଶ୍ୟକତା ଥିବା ସେ କହିଥିଲେ ।
କାର୍ଯ୍ୟକ୍ରମରେ କଳିଙ୍ଗ ହସ୍ପିଟାଲ୍, ଭୁବନେଶ୍ୱରର ନିର୍ଦ୍ଦେଶିକା ନର୍ସିଂ ସର୍ଭିସେସ୍ ଶ୍ରୀମତି ଲେଖା ଅମିନିକୁଟୀ ପ୍ରଫେସ୍ନାଲ୍ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ନର୍ସମାନେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ । ତେବେ ସେମାନଙ୍କୁ ଅଧିକ ଦକ୍ଷ ହେବାକୁ ପଡ଼ିବ ଏବଂ ଆନାଟୋମୀ ଏବଂ ଫିଜିଓଲୋଜି ଭଳି ବିଷୟକୁ ଅଧିକ ବୁଝିବାକୁ ପଡ଼ିବ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଟ୍ରେନ୍ଡ ନର୍ସେସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଟିଏନ୍ଏଆଇ) ଓଡ଼ିଶା ଶାଖାର ଉପଦେଷ୍ଟା ପ୍ରଫେସର ସରୋଜ ନଳିନୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ସହଯୋଗ ନେଇ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ଦେଇଥିଲେ । ସେ କହିଥିଲେ ଯେ ବର୍ତ୍ତମାନ ଅଧିକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ନର୍ସିଂ ବୃତ୍ତିରେ ପ୍ରବେଶ କରୁଛନ୍ତି । ଏହା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଖୁବ ଭଲ ସଙ୍କେତ ବୋଲି ସେ କହିଥିଲେ ।
ଏହି ଅବସରରେ ସମ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତି ତ୍ରିପାଠୀ ଯୋଗ ଦେଇ କିଭଳି ଭାବରେ ଜଣେ ଭଲ ନର୍ସ ହେବା ସହ ସମ୍ମାନର ସହ ଦକ୍ଷ ରୋଗୀ ସେବା ତୁଲାଇ ପାରିବ ସେ ସମ୍ପର୍କରେ ମତ ରଖିଥିଲେ । ସେ କହିଥିଲେ ଯେ ଆମ ବୃତିରେ ନର୍ସ ମାନେ ହେଉଛନ୍ତି ହିରୋ ତେଣୁ ସେମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି ।
କାର୍ଯ୍ୟକ୍ରମରେ ଏସ୍ଏନ୍ସି ଭୁବନେଶ୍ୱରର ଡିନ୍ ପ୍ରଫେସର ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଡିସ୍ନାଲ୍ ଡିନ୍ ପ୍ରଫେସର ତପତୀ ଶାହା ଚଳିତ ବର୍ଷ ଆନ୍ତର୍ଜାତିକ ନର୍ସେସ୍ ଦିବସର ପ୍ରସଙ୍ଗ ‘ଆୱାର ନର୍ସେସ୍, ଆୱାର ଫ୍ୟୁଚର, ଏମ୍ପାୱାରଡ ନର୍ସେସ୍ ସେଭ ଲାଇଭସ୍’ ସମ୍ପର୍କରେ ମତ ରଖିଥିଲେ ।
କାର୍ଯ୍ୟକ୍ରମ ଶେଷର ଏସ୍ଏନ୍ସିର ଆସୋସିଏଟ୍ ପ୍ରଫେସର ଶ୍ରୀମତି ସୁଚିସ୍ମିତା ପାହାନ୍ତସିଂ ଧନ୍ୟବାଦ ଅର୍ପଣ କରିଥିଲେ ।