ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିତ୍ୱ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଏବଂ ଇଣ୍ଡିଆନ ସିଭିଲ ସର୍ଭିସ-୨୦୨୫ର ସଫଳ ପରୀକ୍ଷାର୍ଥୀ ଓ ପିତାମାତାଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ
ଲୋକଭବନର ନ୍ୟୁ ଅଭିଷେକ ହଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୧୫/୦୫: ଓଡ଼ିଶା ପାଇଁ ଗୌରବ ଆଣିଥିବା ୨୦୨୫ ମସିହାର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିତ୍ୱ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଏବଂ ଇଣ୍ଡିଆନ ସିଭିଲ ସର୍ଭିସ-୨୦୨୫ର ସଫଳ ପରୀକ୍ଷାର୍ଥୀ ଓ ସେମାନଙ୍କ ପିତାମାତାଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ସମ୍ବର୍ଦ୍ଧିତ କରିଛନ୍ତି । ଏହି ଉପଲକ୍ଷେ ଶୁକ୍ରବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଏପରି କାର୍ଯ୍ୟକ୍ରମକୁ ଉତ୍କର୍ଷତା, ସମର୍ପଣ, ସୃଜନଶୀଳତା ଏବଂ ଜନସେବାର ଉତ୍ସବ ବୋଲି ବର୍ଣ୍ଣନା କରିଥିଲେ। ସଫଳତା କେବଳ ବ୍ୟକ୍ତିଗତ ମାଇଲଖୁଣ୍ଟ ନୁହେଁ, ବରଂ ସମାଜ ପ୍ରତି କଠିନ ପରିଶ୍ରମ, ଦୃଢ଼ତା ଏବଂ ପ୍ରତିବଦ୍ଧତାର ପ୍ରେରଣାଦାୟକ ଉଦାହରଣ ବୋଲି କହିଥିଲେ ।
କୃତିତ୍ୱ ହାସଲକାରୀଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ ସାହିତ୍ୟ, ଶିକ୍ଷା, କଳା ଏବଂ ଜନସେବା କ୍ଷେତ୍ରରେ ମହନୀୟ ଅବଦାନ ଦେଇ ରାଜ୍ୟ ଏବଂ ଜାତି ପାଇଁ ଗୌରବ ଆଣିଥିବା ପ୍ରତିଷ୍ଠିତ ପୁଅ ଏବଂ ଝିଅମାନଙ୍କ ପାଇଁ ଓଡ଼ିଶା ଗର୍ବ ଅନୁଭବ କରେ।
ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ଆଦିବାସୀ ଲୋକକଥା ଏବଂ ସାଂସ୍କୃତିକ ଐତିହ୍ୟର ଡକ୍ୟୁମେଣ୍ଟେସନ ଏବଂ ସଂରକ୍ଷଣ ପାଇଁ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମହେନ୍ଦ୍ର କୁମାର ମିଶ୍ର, ସାନ୍ତାଳୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଅବଦାନ ପାଇଁ ଚରଣ ହେମ୍ବ୍ରମ, ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ଏବଂ ଓଡ଼ିଶାର ସମୃଦ୍ଧ କଳା ଏବଂ ହସ୍ତତନ୍ତ ପରମ୍ପରାକୁ ସଂରକ୍ଷଣ କରିବା ପାଇଁ ମହନୀୟ ଅବଦାନ ନିମନ୍ତେ ଶରତ କୁମାର ପାତ୍ରଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ନିଜ କବିତା ସଂଗ୍ରହ “ପାଦପୂରଣ” ପାଇଁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗିରିଜା କୁମାର ବଳିୟାରସିଂହଙ୍କୁ ମଧ୍ୟ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ସାମୂହିକ ସ୍ମୃତିର ସଂରକ୍ଷଣ ଏବଂ ସମାଜକୁ ପ୍ରେରଣା ଯୋଗାଇ ଦେବା ପାଇଁ ସାହିତ୍ୟ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଥିଲେ।
ଏତତବ୍ୟତୀତ ୨୦୨୫ ମସିହା ଇଣ୍ଡିଆନ ସିଭିଲ୍ ସର୍ଭିସ ପରୀକ୍ଷାରେ ଓଡ଼ିଶାର ସଫଳ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ମାତାପିତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ସଫଳତା ଗଠନରେ ପିତାମାତାଙ୍କ ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଯୁବ ପ୍ରଶାସନିକ ଅଧିକାରୀମାନେ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ପ୍ରତି ଅବଦାନ ରଖିବା ସହିତ ସାଧୁତା, କରୁଣା ଏବଂ ଜନ କଲ୍ୟାଣ ପାଇଁ ପ୍ରତିବଦ୍ଧତା ବଜାୟ ରଖିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ ।
ଏହି ଅବସରରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ଼. ରୂପା ରୋଶନ ସାହୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ଏବଂ ସମ୍ବର୍ଦ୍ଧିତ କୃତୀ ବ୍ୟକ୍ତିମାନେ ମଧ୍ୟ ତାଙ୍କର ଅଭିଜ୍ଞତା ପ୍ରକାଶ କରିଥିଲେ।