ରାଜସ୍ୱ ପ୍ରଶାସନରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ତିନି ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ଅନିବାର୍ଯ୍ୟ

ଚଳିତ ବଦଳି ଋତୁ ମଧ୍ୟରେ ୧୫ ଜୁନ୍ ୨୦୨୬ ସୁଦ୍ଧା ବଦଳି ପ୍ରକ୍ରିୟା ସମ୍ପନ୍ନ କରିବାକୁ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୫/୦୫: ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ପ୍ରକ୍ରିୟାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି l ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି l

ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ବିଭାଗରେ କାର୍ଯ୍ୟରତ ସେକ୍ସନ୍ ଅଫିସର (SO), ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ୍ (SRA), ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର (RS), ରେଭେନ୍ୟୁ ଇନ୍ସପେକ୍ଟର (RI), ଅସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI), ଅମିନ ପ୍ରମୁଖ କର୍ମଚାରୀ ଯେଉଁମାନେ ଗୋଟିଏ କାର୍ଯ୍ୟାଳୟରେ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଅଛନ୍ତି, ସେମାନଙ୍କର ବଦଳି ଓ ରୋଟେସନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ୍, ତହସିଲ୍ କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟଦକ୍ଷତା, ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି l

ତେବେ, ବିଭିନ୍ନ ଜିଲ୍ଲାରେ ବକେୟା ଥିବା ବଦଳିକୁ ରାଜ୍ୟ ସରକାର ଗୁରୁତ୍ଵର ସହ ଗ୍ରହଣ କରିଛନ୍ତି l ଏହି ପରିପ୍ରେକ୍ଷୀରେ, ସମସ୍ତ ଜିଲ୍ଲାପାଳଙ୍କୁ ଚଳିତ ବଦଳି ଋତୁ ମଧ୍ୟରେ ଅର୍ଥାତ୍ ୧୫ ଜୁନ୍ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ବଦଳି ଓ ରୋଟେସନ୍ ପ୍ରକ୍ରିୟା ସମାପ୍ତ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ତିନିବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟ କିମ୍ବା ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବଦଳି ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶାବଳୀ ଅନୁସାରେ ଅନୁପାଳନ କରିବାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି l ବଦଳି ପ୍ରକ୍ରିୟା ସମ୍ପନ୍ନ ହେବା ପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧୀୟ ବିସ୍ତୃତ ରିପୋର୍ଟ୍ ତୁରନ୍ତ ବିଭାଗକୁ ପ୍ରେରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।