ନୟାଗଡ଼, ୧୭/୦୫: ନୟାଗଡର ଚାନ୍ଦପୁର ଅଞ୍ଚଳର ଏକ କଳାପଥର ଖଣିରୁ ଦୁଇ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ପଥର କ୍ରସର ବ୍ୟବସାୟକୁ ନେଇ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
ମୃତକଙ୍କ ନାମ ପ୍ରତାପ କୁମାର ପାଟ୍ଟଶାଣୀ, ସେ ନୟାଗଡର କରଣ୍ଡା ଟାଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମର ବାସିନ୍ଦା।
ରିପୋର୍ଟ ଅନୁଯାୟୀ, ମେ ୧୫ ଅପରାହ୍ନ ପ୍ରାୟ ୪ଟା ସମୟରେ ପ୍ରତାପ ନିଖୋଜ ହୋଇଯାଇଥିଲେ। ରବିବାର ସକାଳେ, ସେହି ଅଞ୍ଚଳକୁ ଯାଇଥିବା ଜଣେ ମହିଳା କଳା ପଥର ଖଣିରେ ମୃତଦେହ ପଡ଼ିଥିବା ଦେଖି ତୁରନ୍ତ ପରିବାରକୁ ଜଣାଇଥିଲେ। ଘଟଣାସ୍ଥଳେ ପହଞ୍ଚି ପରିବାର ସଦସ୍ୟମାନେ ଗଳିତ ମୃତଦେହ ଉଦ୍ଧାର କରିଥିଲେ।
ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଏହା ପୂର୍ବ ଯୋଜନାବଦ୍ଧ ହତ୍ୟା। ପ୍ରତାପଙ୍କ ବାପା ନକୁଳ ପାଟ୍ଟଶାଣୀ ବହୁ ବର୍ଷ ଧରି ସେହି ଅଞ୍ଚଳରେ ଏକ ପଥର କ୍ରଶର ୟୁନିଟ୍ ପରିଚାଳନା କରୁଛନ୍ତି। ତେଣୁ ଏହି ହତ୍ୟାକାଣ୍ଡ ପଛରେ ବ୍ୟବସାୟିକ ଶତ୍ରୁତା ନା କ୍ରଶର ୟୁନିଟ୍ ସହ ଜଡିତ ବିବାଦ ରହିଥିବା ସନ୍ଦେହ କରାଯାଉଛି।
ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସ୍ଥାନାନ୍ତର କରିଛି ଏବଂ ପଚରାଉଚରା ପାଇଁ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି।