ବିବାଦୀୟ ଢାଞ୍ଚା ବିଧ୍ୱଂସ ମାମଲା, ଆଡଭାନୀଙ୍କ ସହ ସମସ୍ତ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି

ଲକ୍ଷ୍ନୌ: ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ବିଧ୍ୱଂସ ମାମଲାରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲାକୃଷ୍ଣ ଆଡଭାନୀଙ୍କ ସହ ସମସ୍ତଙ୍କ ଅଭିଯୁକ୍ତଙ୍କୁ ବୁଧବାର ବଡ଼ ଆଶ୍ୱସ୍ତି ମିଳିଛି । ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯିବା ବିରୋଧରେ ଦାଖଲ ଯାଚିକାକୁ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଖାରଜ କରିଛନ୍ତି । ନ୍ୟାୟମୂର୍ତ୍ତି ରମେଶ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଅକ୍ଟୋବର ୩୧ରେ ଏହି ମାମଲା ଉପରେ ନିଜ ରାୟକୁ ସରଂକ୍ଷିତ ରଖିଥିଲେ ।

ଅଯୋଧ୍ୟାର ବାସିନ୍ଦା ହାଜୀ ମହବୁବ ଅହମଦ ଏବଂ ସୈୟଦ ଅଖଲାଖ ଅହମଦଙ୍କ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଥିଲା । ମାମଲାରେ ପ୍ରଥମେ ପୁନଃନରୀକ୍ଷଣ ନେଇ ଯାଚିକା ଦାଖଲ କରାଯାଇଥିଲା । ପରେ ନ୍ୟାୟଳୟ ଏହାକୁ ଅପରାଧିକ ଅପିଲରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାରେ ସିବିଆଇ ପକ୍ଷରୁ ମଧ୍ୟ ଆପତ୍ତି ଦାଖଲ କରାଯାଇଥିଲା।

ସିବିଆଇର ଯୁକ୍ତି ଥିଲା ଆବେଦନକାରୀ ଏହି ମାମଲାରେ ପୀଡିତ ନୁହନ୍ତି । ତେଣୁ ସିଆରପିସିର ଧାରା ୩୭୨ ଅନୁସାରେ ବର୍ତ୍ତମାନ ଆବେଦନ ଦାଖଲ କରିପାରିବେ ନାହିଁ । ଅନ୍ୟପଟେ ଆବେଦନକାରୀଙ୍କ କହିବା ଅନୁସାରେ, ବିବାଦୀୟ ଡାଞ୍ଚା ଭଙ୍ଗାଯିବା ଯୋଗୁଁ ସେମାନେ ପୀଡିତଙ୍କ ପକ୍ଷରେ ଅଛନ୍ତି । ତେଣୁ ସେସନ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର ଅଧିକାର ସେମାନଙ୍କ ପାଖରେ ଅଛି ।