ପୋଲିସର ବେଆଇନ ଆଇପିଏଲ୍ ବେଟିଂ ବିରୋଧୀ ଅଭିଯାନ: ୧୮ ଗିରଫ
୩୬ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା ଫ୍ରିଜ୍
ଭୁବନେଶ୍ୱର, ୨୬/୦୫: ଚଳିତ ଆଇପିଏଲ-୨୦୨୬ ମହାସମର ମଧ୍ୟରେ ରାଜ୍ୟରେ ବେଆଇନ ଆଇପିଏଲ୍ ବେଟିଂ କାରବାର ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରି ପୋଲିସ ବେଟିଂ ରାକେଟ୍ର ପର୍ଦ୍ଦାଫାଶ କରିବା ସହ ବିପୁଳ ପରିମାଣର ନଗଦ ଟଙ୍କା, ମୋବାଇଲ୍ ଏବଂ ଗାଡ଼ି ଜବତ କରିଛି । ପୋଲିସର ସୂଚନା ଅନୁଯାୟୀ, ସାରା ରାଜ୍ୟରେ ଆଇପିଏଲ ବେଟିଂ ସଂକ୍ରାନ୍ତରେ ମୋଟ ୪ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ବିଭିନ୍ନ ଜିଲ୍ଲାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଦେଖିଲେ, ବେଟିଂ କାରବାର ବିରୋଧରେ ପୁରୀ ପୋଲିସକୁ ସବୁଠାରୁ ବଡ଼ ସଫଳତା ମିଳିଛି । ପୁରୀ ଜିଲ୍ଲାରେ ୧ଟି ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ସର୍ବାଧିକ ୨୫ ଲକ୍ଷ ୩୫ ହଜାର ଟଙ୍କାର ନଗଦ ରାଶି ଜବତ ହୋଇଛି ଏବଂ ବ୍ୟାଙ୍କ ଆକାଉଣ୍ଟରେ ଥିବା ୩୧ ଲକ୍ଷ ୮୧ ହଜାର ୨୪୪ ଟଙ୍କାକୁ ଫ୍ରିଜ୍ କରାଯିବା ସହ ୬ଟି ମୋବାଇଲ୍ ଜବତ କରାଯାଇଛି ।
ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପୋଲିସ ଏକ ବଡ଼ ଚଢ଼ାଉ କରି ଗୋଟିଏ ବେଟିଂ ମାମଲାରେ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୬ ଲକ୍ଷ ଟଙ୍କାର ନଗଦ ଅର୍ଥ, ୧୭ ଲକ୍ଷ ୬୧ ହଜାର ୩୬୭ ଟଙ୍କାର ବ୍ୟାଙ୍କ ବାଲାନ୍ସ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।
ଝାରସୁଗୁଡ଼ା ଜିଲ୍ଲାରୁ ମଧ୍ୟ ପୋଲିସ ଏକ ବଡ଼ ର଼୍ୟାକେଟ୍ ଚିହ୍ନଟ କରି ସର୍ବାଧିକ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୫ ଲକ୍ଷ ଟଙ୍କା ନଗଦ ଓ ବେଟିଂରେ ବ୍ୟବହୃତ ୨ଟି କାର୍ ଜବତ କରିଛି । ଅପରପକ୍ଷରେ, ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ନିକଟରୁ ୫୦,୨୦୦ ଟଙ୍କା ନଗଦ ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି।
ରାଜ୍ୟକୁ ଅପରାଧ ମୁକ୍ତ କରିବା ପାଇଁ ବେଆଇନ ବେଟିଂ କାରବାରରେ ସମ୍ପୃକ୍ତ ଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଓଡ଼ିଶା ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।