ପହିଲି ରଜରେ ବଡ଼ ଦୁର୍ଘଟଣା: ଡିଭାଇଡରରେ ପିଟିଲା ଯାତ୍ରୀବାହୀ ବସ୍

ଡ୍ରାଇଭର ମୃତ, ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ସୋର, ୧୪/୦୬: ଆଜି ଭୋର ସମୟରେ ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ବିଦୁ ବଜାର ନିକଟରେ ଜାତୀୟ ରାଜପଥ ୧୬ ରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହେବା ସହିତ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ବସ୍ ଟି ଆନ୍ଧ୍ରପ୍ରଦେଶର ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଦୀଘାରୁ ପୁରୀ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ନିୟନ୍ତ୍ରଣ ହରାଇ ରାସ୍ତା ଡିଭାଇଡରରେ ପିଟି ହୋଇଯାଇଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ସୋର ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।

ଦୁର୍ଘଟଣାର ଅଧିକ ତଦନ୍ତ ଚାଲିଛି। ଡାକ୍ତରମାନେ ଅନେକ ଆହତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।