ଅର୍ଚ୍ଚନା ନାଗ ମାମଲା: ଏସ୍‌ଆଇଟିର ବୈଠକ, ୨ ଦିନରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କଲା ଇଡି

ମାତ୍ର ଦୁଇ ଦିନର ତଦନ୍ତରୁ ଧରାପଡ଼ିଲାଣି ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି । ଏହିଭଳି କଳା ସମ୍ରାଜ୍ୟର ମାଲିକାଣୀ ସାଜିଥିଲେ ଅର୍ଚ୍ଚନା ନାଗ । ଖୋଳତାଡ଼ ଜାରି ରହିଛି । ଆଗକୁ ଆହୁରି ଅଧିକ ବେଆଇନ ସମ୍ପତ୍ତି ମିଳିବାର ସମ୍ଭାବନା ଅଛି ବୋଲି ଆଜି ନୂଆଦିଲ୍ଲୀରେ ବସିଥିବା ଏସଆଇଟି ବୈଠକରେ ରିପୋର୍ଟ ଉପସ୍ଥାପନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । କଳାଧନ ଠାବ କରିବାକୁ ନେଇ ଗଠିତ ହୋଇଥିବା ଏସଆଇଟି ବୈଠକ ଆଜି ଜଷ୍ଟିସ ଅରଜିତ ପଶୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ତେବେ ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟ ପୋଲିସର ଭୂମିକାକୁ ନାପସନ୍ଦ କରିଛନ୍ତି ଜଷ୍ଟିସ ପଶାୟତ । ଆଗକୁ ଅର୍ଚ୍ଚନା ମାମଲାର ତଦନ୍ତ ଆୟକର ବିଭାଗ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ରାଜ୍ୟରେ ବଢିଚାଲିଥିବା ନିଶା କରବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଷ୍ଟିସ ପଶାୟତ । ଜଳେଶ୍ୱର ରାଜ୍ୟର ବ୍ରାଉନସୁଗାର ହବ ପାଲଟିଛି ବୋଲି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବୈଠକରେ ରିପୋର୍ଟ ଦେଇଛି । ନିକଟରେ ଗିରଫ ହୋଇଥିବା ଜଣେ ଡ୍ରଗ୍ସ ମାଫିଆର ସମ୍ପତ୍ତି ୧୦୦ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଏନସିବି ପକ୍ଷରୁ ଏସଆଇଟି ବୈଠକରେ ତଥ୍ୟ ରଖାଯାଇଛି । ତେବେ ଅର୍ଚ୍ଚନା ନାଗ ମାମଲାରେ ଇଡି ଅଧିକ କ୍ରୀୟାଶୀଳ ହୋଇପାରିଲେ ଆହୁରି ଅଧିକ ତଥ୍ୟ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି ।