୨୧ ଜୁନ୍ରୁ ୩୦ ଜୁନ୍ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆୟୋଜିତ ହେବ ‘ସୁଭଦ୍ରା ଶକ୍ତି ସମାବେଶ’
କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସହ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ
ଭୁବନେଶ୍ୱର, ୧୬/୦୬: ରଜ ପର୍ବର ଶେଷ ଦିନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ରାଜ୍ୟବ୍ୟାପୀ ଆୟୋଜିତ ହେବାକୁ ଥିବା ‘ସୁଭଦ୍ରା ଶକ୍ତି ସମାବେଶ’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ।
ଆସନ୍ତା ୨୧ ଜୁନ୍ରୁ ୩୦ ଜୁନ୍ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ଶକ୍ତି ସମାବେଶ’ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଜୀବିକା ସୁଯୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବିକାଶ, ବଜାର ସଂଯୋଗ ଏବଂ ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଓ ‘ମହାଲକ୍ଷପତି ଦିଦି’ ସୃଷ୍ଟି ଦିଗରେ ସଚେତନ କରାଯିବ। ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାରେ କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳ ଆୟୋଜନ ନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ମିଶନ ଶକ୍ତି ଭବନର ସମ୍ମିଳନୀ ଗୃହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ ପବିତ୍ର ରଜ ପର୍ବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଥିଲେ ଯେ, ମିଶନ ଶକ୍ତିର ସଫଳତା ପଛରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନଙ୍କ ନିଷ୍ଠା, ପରିଶ୍ରମ ଓ କର୍ମଦକ୍ଷତା ହିଁ ପ୍ରମୁଖ ଶକ୍ତି। ସେମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ ହୋଇପାରୁଛି।
ଏହି ଅବସରରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନେ ସେମାନଙ୍କ କାର୍ଯ୍ୟ ଅନୁଭୂତି, ସଫଳତା, କ୍ଷେତ୍ରସ୍ତରରେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭାବେ ଅବଗତ କରାଇଥିଲେ। ଜିଲ୍ଲା ଓ ବ୍ଲକ୍ ସ୍ତରରେ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଶକ୍ତିକରଣ, ଆଜୀବିକା ବୃଦ୍ଧି ଏବଂ କ୍ଷେତ୍ରସ୍ତରର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ନିଷ୍ଠା ଓ ଅବଦାନକୁ ପ୍ରଶଂସା କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଥିଲେ, “ଆପଣମାନେ ବିଭଗର ପ୍ରତିନିଧି। ଆପଣମାନଙ୍କ ସଂଗଠିତ ଓ ସୁଚାରୁ କାର୍ଯ୍ୟଦକ୍ଷତାର ପରିଣାମ ସ୍ୱରୂପ ‘ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତା ’ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିପାରିଛି। ତେଣୁ ସରକାର ସହୃଦୟତାର ସହିତ ସେମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେ ଆହୁରି କହିଥିଲେ, “କ୍ଷେତ୍ରସ୍ତରରୁ ମିଳୁଥିବା ଅନୁଭୂତି, ମତାମତ ଓ ପରାମର୍ଶ ଆଧାରରେ ମିଶନ ଶକ୍ତିର କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି ପ୍ରଭାବଶାଳୀ ଓ ଫଳପ୍ରଦ କରାଯିବ।”
ଏହି ବାର୍ତ୍ତାଳାପ ମାଧ୍ୟମରେ ତୃଣମୂଳ ସ୍ତରର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରାଯିବା ସହ ଭବିଷ୍ୟତରେ ମିଶନ ଶକ୍ତିର କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ଫଳପ୍ରଦ ଭାବେ ଆଗେଇ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଦିଗନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।