କଲ୍ୟାଣ ସିଂହପୁର, ୧୭/୦୬ (ନରସିଂହ ନାଥ ମହାପାତ୍ର): ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ପିଲାଚୋରି ସନ୍ଦେହକୁ କେନ୍ଦ୍ର କରି ଜଣେ ଯୁବକ ଓ ଯୁବତୀଙ୍କୁ ଆକ୍ରମଣ କରାଯାଇଥିବା ବେଳେ, ଘଟଣାକୁ ନେଇ କଲ୍ୟାଣସିଂହପୁର ଥାନା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଦିଲ୍ଲୀର ଆଜାଦପୁର ଅଞ୍ଚଳର ବାସିନ୍ଦା ସୁମନ ଝାପ ଓ ଗୁଜରାଟର ସୁରତର ଅର୍ପିତ ସୂତାରିଆ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିସ୍ଥିତ ଏକ ଗ୍ରାମବିକାଶ ଏନଜିଓରେ କାର୍ଯ୍ୟରତ ଅଛନ୍ତି। ଉଭୟ ଗୁଗୁଲ ମ୍ୟାପ୍ର ସହାୟତାରେ ସ୍କୁଟି ଯୋଗେ ଦାରିଙ୍ଗବାଡ଼ିରୁ କଳାହାଣ୍ଡି ଜିଲ୍ଲାର ଟି.ଏଚ୍. ରାମପୁର ଅଭିମୁଖେ ଯାଉଥିଲେ। ରାସ୍ତାରେ ଜଣେ ସ୍ଥାନୀୟ ବ୍ୟକ୍ତି ଆଗର ରାସ୍ତା ଖରାପ ଥିବା ସୂଚନା ଦେଇ ସେମାନଙ୍କୁ ଅନ୍ୟ ରାସ୍ତାରେ ଯିବାକୁ ପରାମର୍ଶ ଦେଇଥିଲେ। ପରେ ସେମାନେ ଫେରି ଆସୁଥିବା ବେଳେ କିଛି ଲୋକ ସେମାନଙ୍କୁ ପିଲାଚୋର ବୋଲି ସନ୍ଦେହ କରି ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ପିଛା କରିଥିବା ଅଭିଯୋଗ ହୋଇଛି।
ପରବର୍ତ୍ତୀ ସମୟରେ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ଉଭୟଙ୍କୁ ଅଟକାଇ ମାଡ଼ ମାରାଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ଉତ୍ତେଜିତ ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ପହଞ୍ଚି ଭଙ୍ଗାରୁଜା କରିବା ସହ ଉଭୟଙ୍କ ବିରୋଧରେ ନାରାବାଜି କରିଥିବା ଜଣାପଡ଼ିଛି। ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଥାନା ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା।
ଘଟଣାର ଗୁରୁତ୍ୱକୁ ଦେଖି ରାୟଗଡ଼ା ଏସ୍ପି, ଚାନ୍ଦିଲି ଆଇଆଇସି, ଏସ ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ପକ୍ଷରୁ ଗୁଜବରେ ବିଶ୍ୱାସ ନ କରିବା ଏବଂ ଆଇନକୁ ନିଜ ହାତକୁ ନ ନେବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଦୁହିଁଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି।