ବରିଷ୍ଠ ଉପ-ନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ
ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା
ସରିଲା ଦୁଇ ଦିନିଆ ଓଡ଼ିଶା ଗସ୍ତ, ପ୍ରଥମ ଦିନରେ ରାଜ୍ୟରେ ଚାଲିଥିବା ଏସ ଆଇ ଆର ଅଗ୍ରଗତି ର କରିଥିଲେ ସମୀକ୍ଷା
ଭୁବନେଶ୍ୱର, ୧୭/୦୬: ଭାରତ ନିର୍ବାଚନ ଆୟୋଗର ବରିଷ୍ଠ ଉପ-ନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଗୋପାଳପୁର ସର୍କିଟ ହାଉସ୍ରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ ଜିଲ୍ଲାରେ ଚାଲିଥିବା ପରିଗଣନା ଫର୍ମ ବିତରଣ, ଡିଜିଟାଇଜେସନ କାର୍ଯ୍ୟ ଏବଂ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ବିଷୟରେ ଉପ-ନିର୍ବାଚନ ଆୟୁକ୍ତଙ୍କୁ ଅବଗତ କରାଇଥିଲେ।
ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟ ପାଇଁ ଜିଲ୍ଲାର ୧୩ଟି ବିଧାନସଭା କ୍ଷେତ୍ରରେ ୩,୧୨୪ ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଏବଂ ୩୧୧ ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ସେହିପରି ୧୩ ଜଣ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇଆରଓ) ଓ ୭୯ ଜଣ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆରଓ) ସମଗ୍ର କାର୍ଯ୍ୟର ତଦାରଖ କରୁଛନ୍ତି।
ଜିଲ୍ଲାରେ ମୋଟ ୨୯,୯୯,୭୮୨ ଜଣ ଭୋଟର ଥିବାବେଳେ ବର୍ତ୍ତମାନ ସୁଦ୍ଧା ୯୯.୮୬ ପ୍ରତିଶତ ପରିଗଣନା ଫର୍ମ ଭୋଟରମାନଙ୍କ ନିକଟରେ ବିତରଣ କରାଯାଇଛି। ଭୋଟରମାନେ ଫର୍ମର ଗୋଟିଏ କପି ନିଜ ପାଖରେ ରଖୁଥିବାବେଳେ ଅନ୍ୟ କପିଟି ପୂରଣ ଓ ସ୍ୱାକ୍ଷର କରି ବିଏଲ୍ଓଙ୍କୁ ପ୍ରଦାନ କରୁଛନ୍ତି। ବିଏଲ୍ଓମାନେ ଭୋଟରମାନଙ୍କୁ ଫର୍ମ ପୂରଣ ପ୍ରକ୍ରିୟାରେ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି।
ସେହିପରି ଫର୍ମଗୁଡ଼ିକର ଡିଜିଟାଇଜେସନ କାର୍ଯ୍ୟ ଜିଲ୍ଲାରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧୮,୧୩,୨୧୫ଟି ଫର୍ମର ଡିଜିଟାଇଜେସନ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୧,୪୬,୬୦୯ଟି ଫର୍ମକୁ ବିଏଲ୍ଓମାନେ ଯାଞ୍ଚ କରିସାରିଛନ୍ତି। ଜିଲ୍ଲାରେ ୬୦.୪୪ ପ୍ରତିଶତ ଫର୍ମର ଡିଜିଟାଇଜେସନ ହୋଇସାରିଛି ।
ସମୀକ୍ଷା ବୈଠକରେ ଉପ-ନିର୍ବାଚନ ଆୟୁକ୍ତ ଶ୍ରୀ ଭାରତୀ ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଜିଲ୍ଲାପାଳ ଶ୍ରୀ ଭାସନ ସେଗୁଡ଼ିକର ଉତ୍ତର ରଖିଥିଲେ। ଗଞ୍ଜାମ ଜିଲ୍ଲା ଓଡ଼ିଶାର ଏକ ଜନବହୁଳ ଜିଲ୍ଲା ହୋଇଥିଲେ ମଧ୍ୟ ଏସ୍ଆଇଆର୍ କାର୍ଯ୍ୟରେ ରାଜ୍ୟରେ ଆଗୁଆ ରହିଥିବାରୁ ବିଏଲ୍ଓମାନଙ୍କ ନିଷ୍ଠା ଓ ପରିଶ୍ରମକୁ ଶ୍ରୀ ଭାରତୀ ପ୍ରଶଂସା କରିଥିଲେ। ଏହାସହ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଏସ୍ଆଇଆର୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ସୁଦ୍ଧା(ବୁଧବାର) ରାଜ୍ୟରେ ମୋଟ ୯୯. ୨୯ପ୍ରତିଶତ ଅର୍ଥାତ ୩କୋଟି ୩୧ଲକ୍ଷ ୬୦ହଜାର ୮୭୫ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ ହୋଇଥିବା ବେଳେ ସେଥି ମଧ୍ୟରୁ ୫୩.୧୯ ପ୍ରତିଶତ ଅର୍ଥାତ ୧କୋଟି ୭୭ଲକ୍ଷ ୬୫ହଜାର ୧୮୨ ଭୋଟରଙ୍କର ଡିଜିଟାଇଜେସନ କରାଯାଇଛି।ଜୁନ୨୮ ସମୟ ସୀମା ଥିଲେ ମଧ୍ୟ ଜୁନ ୨୩,୨୪ ମଧ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ର ସମସ୍ତ ପ୍ରକ୍ରିୟା ସାରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ଭାରତ ନିର୍ବାଚନ ଆୟୋଗର ପ୍ରମୁଖ ସଚିବ ଏସ୍.ବି. ଯୋଶୀ, ଉପ ସଚିବ ଅଭିନବ ଅଗ୍ରୱାଲ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କେର୍କେଟା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଡେପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଆଇଏଏସ୍ ଶିକ୍ଷାନବୀଶ ସାରାନ୍ୟା ଏବଂ ଡେପୁଟି କଲେକ୍ଟର ଡ଼. ଅରୁଣ କୁମାର ଖଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ସମୀକ୍ଷା ପରେ ଶ୍ରୀ ଭାରତୀ ଓ ଆୟୋଗର ଅନ୍ୟ ସଦସ୍ୟମାନେ ଗୋପାଳପୁରର ବିଭିନ୍ନ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କ ସହ ଆଲୋଚନା କରି କ୍ଷେତ୍ରସ୍ତରର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇଥିଲେ। ଗଞ୍ଜାମରେ ଏସ୍ଆଇଆର୍ କାର୍ଯ୍ୟର ଅଗ୍ରଗତି ନେଇ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ।