ବ୍ରହ୍ମପୁର, ୨୧/୦୬: ଅଡୁଆରେ ଖଣିମନ୍ତ୍ରୀ ବିଭୁତି ଜେନା। ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଜଣେ ଯୁବତୀଙ୍କୁ ପ୍ରେମ, ପ୍ରତାରଣା ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ମାମୁଁ।
ସୂଚନାଯୋଗ୍ୟ, ଶନିବାର ସକାଳେ ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ଅଞ୍ଚଳରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ଯୁବତୀଙ୍କ ମାମୁଁ ହତ୍ୟା ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ଅର୍ଥାତ୍ ବଡ଼ ଭାଇଙ୍କ ପୁଅ ବିଶ୍ୱଜିତ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି।
ମୃତ ଯୁବତୀ ଜଣକ ବିସିଏ ଶେଷ ବର୍ଷର ଛାତ୍ରୀ ଥିଲେ। ଗତ ୪ ବର୍ଷ ଧରି ବିଶ୍ୱଜିତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। କିନ୍ତୁ ସେ ବିଶ୍ୱଜିତଙ୍କ ଅତ୍ୟାଚାର ଯୋଗୁଁ ମାସେ ଧରି ଡିପ୍ରେସନରେ ଥିଲେ। ଶନିବାର ଦିନ ସେ ଅତିଷ୍ଠ ହୋଇ ଜୀବନ ହାରିଥିଲେ। ଯୁବତୀଙ୍କ ପରିବାରକୁ ସେ ଆତ୍ମହତ୍ୟା କରିଥିବା ନେଇ ଖବର ଯାଇଥିଲା। ହେଲେ ପରିବାର ଲୋକେ ପହଞ୍ଚିବା ପୂର୍ବରୁ ତାଙ୍କୁ ମେଡିକାଲ ନିଆଯାଇଥିଲା। ମନ୍ତ୍ରୀଙ୍କ ପୁତୁରା ହିଁ ନିଜେ ଆମ୍ବୁଲାନ୍ସ ଡ଼କାଇ ମେଡିକାଲ ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଯୁବତୀଙ୍କ ମାମୁଁ। ଯୁବକ ଜଣକ ମଧ୍ୟ ସେହି କଲେଜରେ ପାଠ ପଢ଼ୁଛନ୍ତି।