ଭାରତୀୟ ନୌସେନାକୁ ମିଳିଲା ବଳ, ସାମିଲ ହେଲା ୩ ଯୁଦ୍ଧ ଜାହାଜ

ପ୍ରତିରକ୍ଷା କ୍ଷେତ୍ରରେ ଭାରତ କେବଳ କିଣିବନି, ନିର୍ମାତା ବି ହେବ: ପ୍ରଧାନମନ୍ତ୍ରୀ ମୋଦି

କୋଲକାତା, ୨୧/୦୬: ଭାରତୀୟ ନୌସେନାର ବଳ ଆହୁରି ବୃଦ୍ଧି ପାଇଛି। ଆଜି କୋଲକାତାର ଶ୍ୟାମାପ୍ରସାଦ୍ ମୁଖାର୍ଜୀ ପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ତିନି ଅତ୍ୟାଧୁନିକ ସ୍ୱଦେଶୀ ଯୁଦ୍ଧଜାହାଜ INS ଦୁନାଗିରି, INS ସଂଶୋଧକ ଏବଂ INS ଅଗ୍ରୟ ଭାରତୀୟ ନୌସେନାରେ ସାମିଲ୍ ହୋଇଛି। ଏହା ଏକ ବିରଳ ତ୍ରି-ସମର୍ପଣ ଉତ୍ସବ ଥିଲା ଯାହା ଦେଶର ସ୍ୱାଭିମାନ ଓ ଆତ୍ମନିର୍ଭରତାର ପ୍ରତୀକ ହୋଇ ରହିବ।

ଗାର୍ଡେନ୍ ରିଚ୍ ଶିପବିଲ୍ଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ (GRSE) ଦ୍ୱାରା ନିର୍ମିତ ଏହି ତିନି ଜାହାଜ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଓ ତିଆରି ହୋଇଛି। ଏଥିରେ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ଉପାଦାନ ବ୍ୟବହୃତ ହୋଇଛି।

ପ୍ରତ୍ୟେକ ଜାହାଜର ବିଶେଷତ୍ୱ:

– INS ଦୁନାଗିରି (Project 17A Stealth Frigate): ଏହା ଏକ ଅତ୍ୟାଧୁନିକ ଷ୍ଟେଲ୍ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍। ବ୍ରହ୍ମୋସ୍ ସରଫେସ୍-ଟୁ-ସରଫେସ୍ ମିସାଇଲ୍ ଏବଂ ମିଡିୟମ୍ ରେଞ୍ଜ ସରଫେସ୍-ଟୁ-ଏୟାର୍ ମିସାଇଲ୍ ସହ ସଜ୍ଜିତ ଏହି ଜାହାଜ ନୌସେନାର ଯୁଦ୍ଧ କ୍ଷମତାକୁ ବହୁଗୁଣ ବଢ଼ାଇବ। ଏହା ପୂର୍ବ ପ୍ରକଳ୍ପର ପଞ୍ଚମ ଜାହାଜ।

– INS ସଂଶୋଧକ (Survey Vessel Large): ଏହା ଏକ ବଡ଼ ସର୍ଭେ ଜାହାଜ। ସମୁଦ୍ର ତଳ ସର୍ଭେ, ହାଇଡ୍ରୋଗ୍ରାଫିକ୍ କାର୍ଯ୍ୟ ଏବଂ ଅନ୍ତର୍ଗତ ଯାନ୍ତ୍ରିକ ଉପକରଣ ସହାୟତାରେ ସମୁଦ୍ରୀୟ ତଥ୍ୟ ସଂଗ୍ରହ କରିବାରେ ଏହା ସକ୍ଷମ।

– INS ଅଗ୍ରୟ (Anti-Submarine Warfare Shallow Water Craft): ଉପକୂଳୀୟ ଅଞ୍ଚଳରେ ସବମେରିନ୍ ବିରୋଧୀ ଯୁଦ୍ଧ ପାଇଁ ବିଶେଷ ଭାବେ ତିଆରି ହୋଇଛି। ଟର୍ପେଡୋ ଏବଂ ଉନ୍ନତ ସୋନାର୍ ସିଷ୍ଟମ୍ ସହ ଏହା ନୌସେନାର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ୍ କରିବ।

କୋଲକାତାରେ ଏକ ସ୍ବତନ୍ତ୍ର ଉତ୍ସବରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ କହିଛନ୍ତି, “ସାମୁଦ୍ରିକ କ୍ଷମତା ବିନା କୌଣସି ରାଷ୍ଟ୍ର ମହାନ ଶକ୍ତି ହୋଇପାରିବ ନାହିଁ। ଆଜି ବିଶ୍ୱର ଅଧିକାଂଶ ବାଣିଜ୍ୟ ସମୁଦ୍ର ମାର୍ଗରେ ହେଉଛି ଏବଂ ଭାରତ ଏହି କ୍ଷେତ୍ରରେ ନିଜର ଉପସ୍ଥିତି ଆହୁରି ମଜବୁତ୍ କରୁଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ପ୍ରତିରକ୍ଷା କ୍ଷେତ୍ରରେ ଭାରତ କେବଳ କିଣିବ ନାହିଁ, ନିର୍ମାତା ବି ହେବ। ନିର୍ମାତା ହେଲେ ହିଁ ଦେଶ ନିର୍ଣ୍ଣାୟକ ହୋଇପାରିବ। ଏହି ତିନି ଜାହାଜର ସମର୍ପଣ ଆତ୍ମନିର୍ଭର ଭାରତ ଅଭିଯାନର ଏକ ଉଜ୍ଜ୍ୱଳ ଉଦାହରଣ।

ସୂଚନାଯୋଗ୍ୟ, ଭାରତୀୟ ନୌସେନାର ଆଧୁନିକୀକରଣ ଓ ସମୁଦ୍ରୀୟ କ୍ଷମତା ବୃଦ୍ଧିର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଚଳିତ ବର୍ଷ ଆଉ ୧୯ଟି ଯୁଦ୍ଧଜାହାଜ ସାମିଲ୍ ହେବାର ଲକ୍ଷ୍ୟ ରହିଛି ଏବଂ ୨୦୩୫ ସୁଦ୍ଧା ୨୦୦ ଜାହାଜର ଏକ ବିଶାଳ ନୌସେନା ଗଠନ କରିବାର ଯୋଜନା ଚାଲିଛି।

ଏହି ତିନି ଜାହାଜ ଭାରତର ସମୁଦ୍ରୀୟ ସୀମା ସୁରକ୍ଷା, ଯୁଦ୍ଧ ପ୍ରସ୍ତୁତି ଏବଂ ବୈଜ୍ଞାନିକ ଅନୁସନ୍ଧାନକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।