ଧାମୁଣିପଙ୍ଗା ଓ ଇନ୍ତାଲିଗୁଡା ଗାଁ ପୁରୁଷ ଶୂନ୍ୟ

ଭିଡ଼ ହିଂସାରେ ସମ୍ପୃକ୍ତ ନଥିବା ଲୋକଙ୍କୁ ଉଠାଇ ନେଉଛି ପୋଲିସ

କଲ୍ୟାଣସିଂହପୁର, ୨୧/୬ (ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ପଞ୍ଚାୟତର ଇନ୍ତାଲିଗୁଡା ଓ ଧାମୁଣିପଙ୍ଗା ପଞ୍ଚାୟତ ସଦର ଗ୍ରାମରେ ପୁରୁଷ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି। ବିନା ଦୋଷ ରେ ପୁଲିସ ରାତି ଅଧିଆ ଆସି କିଛି ପୁରୁଷ ମାନଙ୍କୁ ଉଠାଇ ନେଇଥିବା ଯୋଗୁଁ ଅନ୍ୟ ପୁରୁଷ ମାନେ ଭୟଭୀତ ହୋଇ ଗ୍ରାମ ଛାଡି ଥିବା ମହିଳା ମାନେ କହିଛନ୍ତି।

ଚଳିତ ମାସ ୧୬ ତାରିଖରେ କଳାହାଣ୍ଡି ଜିଲ୍ଲା ରୁପେନ ଗ୍ରାମରୁ ଏକ ସ୍କୁଟିରେ ଯୁବକଯୁବତୀଙ୍କୁ ପିଲାଚୋର ବୋଲି ଘଉଡ଼ାଇ ଦାଣ୍ଡପଦର, ସିଲେଟ, କାନ୍ଦୁଲ ଗୁଡା, ବଣ୍ଡେଲ, ତାଡିଝୋଲା, ପେ୍ଡିପଦର, ଧାମୁଣିପଙ୍ଗା, କଲ୍ୟାଣସିଂହପୁର ପଞ୍ଚାୟତର କଟିକିନାଳ, ଇନ୍ତାଲାଗୁଡା, ସାଇନଗର ଛକ ପର୍ଯ୍ୟନ୍ତ ଦ୍ରୁତ ଗତିରେ ଆସିଥିଲେ। ଏହି ଦୁଇ ଜଣଙ୍କୁ ପିଛା କରି ଉପର ଗ୍ରାମର ଲୋକମାନେ ବାଇକ ଧରି ଘଉଡାଇ ଆଣିବା ଇନ୍ତାଲାଗୁଡା ଲୋକ ମାନେ ଦେଖି ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେତେବେଳେ ସ୍କୁଟିରୁ ଦୁଇ ଜଣ ପଡି ଯାଇଥିଲେ। ସେହି ସମୟରେ ଘଉଡାଇ ଆସୁଥିବା ଲୋକମାନଙ୍କୁ ଦେଖି ଯୁବକ ଭୟଭୀତ ହୋଇ କେଉଁଆଡେ ଚାଲି ଯାଇଥିଲା। ସେତେବେଳେ ପିଲାଚୋର ଗୁଜବ କରି ଦୁର୍ବୃତ୍ତମାନେ ଯୁବତୀକୁ କାବୁ କରିଥିବା ସମୟରେ ନିକଟସ୍ଥ ଇନ୍ତାଲାଗୁଡା ଗ୍ରାମର ଯୁବକ ପୁରୁସୁ ହିକକା ଯୁବତୀ ଓ ଗୁଜବ କରିଥିବା ଲୋଙ୍କୁ ଘଟଣା ବିଷୟରେ ପଚାରି ବୁଝିବା ବେଳେ ଯୁବତୀକୁ ମାଡ଼ ମାରିବା ଆରମ୍ଭ କରିଥିଲେ। ସେହି ସମୟରେ ପ୍ରକୃତ ଦେବଦୂତ ସାଜି ପୁରୁସୁ ଲୋକଙ୍କଠାରୁ ମାଡ଼ ଖାଇ ଯୁବତୀଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ। ଉତ୍ତ୍ୟକ୍ତ ଲୋକ କିଛି ନ ବୁଝି ଯୁବତୀଙ୍କୁ ମାଡ଼ ଉପରେ ମାଡ଼ ମାରିବା ସହ ଯୁବତୀଙ୍କ ପିନ୍ଦିଥିବା ପୋଷାକ ଚିରି ଦେଇଥିଲେ। ସେହି ସମୟରେ ଯୁବକ ପୁରୁସୁ ନିଜେ ଧରିଥିବା ଗାମୁଛାକୁ ଯୁବତୀର ଦେହରେ ଘୋଡାଇ ଘଟଣାସ୍ଥଳରୁ ଉଦ୍ଧାର କରି କିଛି ସ୍ଥାନ ନେଇ ଅନ୍ୟ ଯୁବକକୁ ହସ୍ତାନ୍ତର କରି ଯୁବତୀଙ୍କ ମୋବାଇଲ ଓ ପର୍ସ ପଡ଼ିଥିବା ଦେଖି ଗୋଟାଇ ପୁଲିସକୁ ହସ୍ତାନ୍ତର କରିଥିଲେ। ଯୁବତୀଙ୍କୁ ଯେଉଁ ମାନେ ମାଡ଼ ମାରି ଉଲଗ୍ନ କରିଛନ୍ତି ପୁଲିସ ସେମାନଙ୍କୁ ଛାଡି ସାହାଯ୍ୟ କରିଥିବା ଲୋକଙ୍କୁ ରାତି ଅଧିଆ ଉଠାଇ ନେଉଛନ୍ତି। ପୁଲିସ ସଠିକ ତଦନ୍ତ କରି ଯେଉଁମାନେ ଦୋଷୀ ସେମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ। ଆମେ କୁଲି ବୁତି କରି ଚଳିବ ଲୋକ, ଅଣ୍ଡିରା ମାନେ ନଥିଲେ ଆମେ କେମିତି କରିବୁ ବୋଲି ମହିଳାମାନେ କୋହ ଭରା କଣ୍ଠରେ କହିଛନ୍ତି। ଏହି ଅପରାଧରେ ସମ୍ପୃକ୍ତ ନଥିବା ଲୋକଙ୍କୁ ନେଇ ପୋଲିସ ଗିରଫ କରୁଥିବା ମାଣିକ ସାରକା, ଦୀପା କୁଲେସିକା, ଯୋଶଦା ହିକ୍କା, ଭାରତୀ ହିକ୍କା, ପୁରୁସୁ ହିକ୍କା ପ୍ରମୁଖ କହିଛନ୍ତି।

ଉକ୍ତ ଘଟଣାଟି ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଥିବାରୁ ଜିଲ୍ଲା ଏସପି ରାଜ ପ୍ରସାଦ ଘଟଣାକୁ ନେଇ ରେଡଫ୍ଲାଗଭୁକ୍ତ କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ମାମଲାରେ ବର୍ତ୍ତମାନ ୨୦ ଜଣଙ୍କୁ ପୁଲିସ ଗିରଫ କରି ଅଦାଲତ ପଠାଇଛନ୍ତି। ଏହି ମାମଲାରେ ତଦନ୍ତ କ୍ଷେତ୍ରରେ ପୁଲିସକୁ କ୍ରାଇମବ୍ରାଞ୍ଚ ସହାୟତା କରୁଥିବା ସୂଚନା ମିଳିଛି।

ପୁଲିସ ଗତ ରାତିରେ ୩ ଜଣଙ୍କୁ ଉଠେଇ ଆଣି ପଚରାଉଚରା କରିବା ପରେ ସିସିଟିଭି ପୁଟେଜ ଦେଖି ଏହି ମାନେ ଘଟଣାରେ ସମ୍ପୃକ୍ତ ନଥିବା ପୁଲିସ କହିଛି।