ପାତ୍ରପୁର, ୨୧/୦୬ (ସୁରେଶ କୁମାର ପଟ୍ଟନାୟକ): ପାତ୍ରପୁର ବ୍ଲକ ଅନ୍ତର୍ଗତ ବୁରାତାଲ ପଞ୍ଚାୟତର ଧୋବାଲିଙ୍ଗି ଗ୍ରାମରେ ଜ୍ୱର ପ୍ରକୋପ ବଢ଼ିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଗ୍ରାମର ବହୁ ପରିବାରର ସଦସ୍ୟ ଜ୍ୱରରେ ପୀଡ଼ିତ ହୋଇପଡ଼ିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ,ଅନିଶା ଦଳେଇ, ତନିଶା ଦଳେଇ,ସୁମିତ୍ରା କାର୍ଯ୍ୟୀ, ମୁକ୍ତା ବେହେରା, ଲତା ବେହେରା, କୋରାମଣି ବେହେରା, ସଂଯୁକ୍ତା ଦଳେଇ, ଶୁକୁଟା ଦଳେଇ, ବିନୋଦ ଭୂୟାଁ, ପ୍ରମୋଦିନୀ ପ୍ରଧାନ, କୁନା ପ୍ରଧାନ, କାଳିଆ ବେହେରା ଙ୍କ ସମେତ ୨୦ରୁ ଅଧିକ ଗ୍ରାମବାସୀ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ ପିଲାଙ୍କ ସମେତ ବୟସ୍କ ରହିଛନ୍ତି।
ଗ୍ରାମବାସୀଙ୍କ କହିବାନୁସାରେ, ଗତ ପାଞ୍ଚ ଦିନ ଧରି ଆକ୍ରାନ୍ତମାନେ ଉଚ୍ଚ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ପାହାଡିଆ ଅଞ୍ଚଳ ହୋଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ପହଞ୍ଚି ନଥିବାରୁ ରୋଗୀମାନେ ଠିକ୍ ସମୟରେ ସ୍ବାସ୍ଥ୍ୟ ସେବା ପାଇପାରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଗ୍ରାମରେ ତୁରନ୍ତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଆକ୍ରାନ୍ତମାନଙ୍କ ରକ୍ତ ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏନେଇ ପାତ୍ରପୁର ଭାରପ୍ରାପ୍ତ ଗୋଷ୍ଠୀ ଅଧିକାରୀ ଡ଼ଃ ସମ୍ବିତ ବେଗରାୟଙ୍କ ସହ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।