‘ଦର୍ଶନ’ ର ପ୍ରଭାବ ; ଯକ୍ଷ୍ମା ଆକ୍ରାନ୍ତ ଆଦିବାସୀ ଡୁବୁଲା ବିରୁଆଙ୍କୁ ଚିକିତ୍ସା ମିଳିଲା

ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ପଠାଗଲା

ଏବେ ବି ପରିବାର ଅର୍ଦ୍ଧାହାରରେ, ସ୍କୁଲରେ ହୋଇପାରୁନି ଆଡମିଶନ

କଟକ, ୨୭/୦୬ (ଅଜୟ ମହାନ୍ତି): ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେଲା କୌଣସି ଚିକିତ୍ସା ନ ପାଇ ଗୁରୁତର ଅବସ୍ଥାରେ ଶଯ୍ୟାଶାୟୀ ହୋଇପଡ଼ିଥିବା ଆଦିବାସୀ ଡୁବୁଲା ବିରୁଆ (୫୩ ବର୍ଷ) ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଦର୍ଶନ ଦୈନିକ ଖବର କାଗଜରେ ” ଅବହେଳିତ ଆଦିବାସୀ ; ମୃତ୍ୟୁ ଶଯ୍ୟାରେ ଡୁବୁଲା ” ଶୀର୍ଷକ ଏକ ଖବର ୨୬ ତାରିଖ ଶୁକ୍ରବାର ସଂସ୍କରଣର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ଏଥିରେ ଡୁବୁଲାର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଔଷଧ ଓ ପୁଷ୍ଟିକର ଖାଦ୍ୟ ଅଭାବ ଏବଂ ତାର ପରିବାରର ଦୟନୀୟ ଅବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶିତ ହୋଇଥିଲା।

ଯେଉଁଦିନ ଦର୍ଶନ ରେ ଖବର ପ୍ରକାଶିତ ହେଲା ଠିକ୍ ସେହି ଦିନ ଯକ୍ଷ୍ମା ଆକ୍ରାନ୍ତ ଆଦିବାସୀ ଡୁବୁଲା ଙ୍କୁ ଚିକିତ୍ସା ମିଳିଲା। ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ମାନେ ତାଙ୍କ କୁଡ଼ିଆକୁ ଆସି ଆମ୍ବୁଲାନ୍ସ ଯୋଗେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ରୋଗର ଜଟୀଳତା ଦୃଷ୍ଟିରୁ ଏଠାରେ ଚିକିତ୍ସା ସମ୍ଭବ ନ ହେବାରୁ ଉଚ୍ଚ ଚିକିତ୍ସା ନିମନ୍ତେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତୁରନ୍ତ ସେଠାରେ ତାଙ୍କୁ ଆଡ଼ମିଶନ କରାଯାଇ ବିଭିନ୍ନ ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା ଆରମ୍ଭ କରାଯାଇଛି।

ଏଠାରେ ପ୍ରକାଶ ଯୋଗ୍ୟ କି, ଡୁବୁଲା ବିରୁଆଙ୍କ ପତ୍ନୀଙ୍କ ସମେତ ୪ ଜଣ ଝିଅ ଓ ୨ ଜଣ ପୁଅ ଅଛନ୍ତି। ଆଧାର କାର୍ଡ ନ ଥିବାରୁ ତାଙ୍କ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିନାହିଁ। ଫଳରେ ତାଙ୍କୁ ଚାଉଳ କିଣିବାକୁ ପଡୁଛି। ଘରର ମୁଖ୍ୟ ଯକ୍ଷ୍ମା ଆକ୍ରାନ୍ତ ହୋଇ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ହେବାରୁ ତାଙ୍କ ସ୍ତ୍ରୀ ଚାନ୍ଦ ବିରୁଆ ରୋଜଗାର ଆଶାରେ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ବିବାହିତା ବଡ଼ ଝିଅ ଶଯ୍ୟାଶାୟୀ ବାପାଙ୍କର ସେବା କରିବାକୁ ଆସିଥିବା ବେଳେ ତାଙ୍କ ସ୍ଵାମୀ ଓ ୩ ଜଣ ପିଲା ମଧ୍ୟ ଏଠାରେ ଆସି ରହୁଛନ୍ତି। ଜ୍ବାଇଁ ରାମ ମଜୁରୀ ଲାଗି ଯାହା ରୋଜଗାର କରୁଛନ୍ତି ସେଥିରେ ମୋଟ ୧୧ ଜଣ ପରିବାର ପୋଷି ହଉଛନ୍ତି। ଫଳରେ ସମସ୍ତଙ୍କୁ ଅର୍ଦ୍ଧାହାର ରେ ଜୀବନ ବିତାଇବାକୁ ପଡ଼ୁଚି। ଆଧାର କାର୍ଡ ନ ଥିବାରୁ ମହିଳା ଓ ଶିଶୁ ବିକାଶ ଯୋଜନାରେ ମିଳୁଥିବା ପୁଷ୍ଟିକର ଖାଦ୍ୟ, ଔଷଧ ଆଦି ଅନ୍ୟାନ୍ୟ ସୁବିଧାରୁ ମଧ୍ୟ ଏହି ପରିବାର ବଞ୍ଚିତ ହୋଇଛନ୍ତି। ସେହିପରି ଆଧାର କାର୍ଡ ନ ଥିବାରୁ ପିଲାମାନଙ୍କର ସ୍କୁଲରେ ଆଡ଼ମିଶନ ହୋଇ ପାରୁନାହିଁ।

ପେଟପୂରା ଖାଦ୍ୟ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ, ଶିକ୍ଷା ଆଦି ଯୋଜନାର ସୁଫଳ ଯୋଗାଇବା ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।