ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ‘ପରିଚୟ’ କର୍ମଶାଳା

‘‘ଭାଷାର ଉନ୍ନତି ସହିତ ଅର୍ଥନୀତିର ବିକାଶ ଜଡ଼ିତ’’

ଭୁବନେଶ୍ୱର, ୦୯/୦୭: ଓଡ଼ିଶାର ବିଭିନ୍ନ ସ୍ଥାନ, ଜଣାଶୁଣା ବ୍ୟକ୍ତିତ୍ୱ, ବିଭିନ୍ନ କାର୍ଯ୍ୟକ୍ରମ, ଘଟଣା ଓ ପାରମ୍ପରିକ ଖାଦ୍ୟ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଡିଜିଟାଲ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବାର ଗୁରୁତ୍ୱ ରହିଛି ବୋଲି ଖ୍ୟାତନାମା ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ଆୟୋଜିତ ଦୁଇଦିନିଆ କର୍ମଶାଳା ‘ପରିଚୟ’ ଉଦ୍ଘାଣଟନ କରି ଡ. ପଟ୍ଟନାୟକ ଭାଷାକୁ ଜୀବନ୍ତ ଓ ପ୍ରାସଙ୍ଗିକ ରଖିବାର ଯଥାର୍ଥ ପ୍ରୟାସ କରୁଥିବାରୁ ଓଡ଼ିଆ ଭର୍ଚୁଆଲ ଏକାଡେମୀକୁ ପ୍ରଶଂସା କରିଥିଲେ ।

ସି.ୱାଇ.ଏସ୍‍.ଡି. ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିମାନେ ଅଂଶଗ୍ରହଣ କରି ରାଜ୍ୟର ପ୍ରସିଦ୍ଧ ସ୍ଥାନ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦିବଂଗତ ଓ ଜୀବିତ ବ୍ୟକ୍ତିତ୍ୱ, କାର୍ଯ୍ୟକ୍ରମ ଓ ଘଟଣା, ଉତ୍ସବାନୁଷ୍ଠାନ ଓ ପାରମ୍ପରିକ ଖାଦ୍ୟ ଉପରେ ଆଲୋଚନା କରିଥିଲେ । ଏକାଡେମୀର ସଚିବ ଡ. ପ୍ରଦୀପ କୁମାର ରାଉତ ଉଦ୍ଘାୀଟନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ ଓଡ଼ିଆ ଭାଷାର ଉନ୍ନତି ସହିତ ଆମ ଅର୍ଥନୀତିର ବିକାଶ ଜଡ଼ିତ । ଓଡ଼ିଶାର ବିଭିନ୍ନ ସ୍ଥାନ, ପ୍ରତିଷ୍ଠାନ, ଖାଦ୍ୟ, ବେଶପୋଷାକ ଆଦିର ପ୍ରଚାର ପ୍ରସାର ଦ୍ୱାରା ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବା ସହିତ ନୂଆ ପିଢ଼ିଙ୍କୁ ଆମ ଅର୍ଥନୈତିକ ବିକାଶର ଅଂଶୀଦାର କରାଯାଇ ପାରିବ ।

କର୍ମଶାଳାରେ ଚାରିଟି ଅଧିବେଶନରେ ପ୍ରତିନିଧିମାନେ ବ୍ୟାପକ ଆଲୋଚନା କରିଥିବା ବେଳେ ଡ. ଅଜୟ କୁମାର ମିଶ୍ର, ଡ. ଅଭିରାମ ବିଶ୍ୱାଳ, ଡ. ଶାନ୍ତନୁ କୁମାର ରଥ, ମାନସ ମୁଦୁଲି ଓ ରିତୁ ପଟ୍ଟନାୟକ ସଂସାଧନ ବକ୍ତା ଭାବରେ ଯୋଗ ଦେଇଥିଲେ ।

କର୍ମଶାଳାର ଉଦ୍ଯାରପନ କାର୍ଯ୍ୟକ୍ରମରେ ସି.ୱାଇ.ଏସ୍‍.ଡି.ର ପ୍ରତିଷ୍ଠାତା ଜଗଦାନନ୍ଦ, ଓକାକ୍ର ଜେନେରାଲ ମ୍ୟାନେଜର ସବ୍ୟସାଚୀ ହୋତା ଏବଂ ଓଡ଼ିଶା ନଲେଜ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୋଥାଳ ବକ୍ତବ୍ୟ ରଖିଥିଲେ । ପ୍ରତିନିଧିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏକାଡେମୀର ବରିଷ୍ଠ ପରିଚାଳକ ସ୍ମୃତିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ଦିନ କାର୍ଯ୍ୟକ୍ରମରେ ଏକାଡେମୀର ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର, ପରାମର୍ଶଦାତା ଡ. ଡି. ଏନ୍‍. ମହାନ୍ତି, ଦେବାନନ୍ଦ ଭଞ୍ଜ, ସଚ୍ଚିଦାନନ୍ଦ ପଣ୍ଡା, ସୂର୍ଯ୍ୟରଞ୍ଜନ ମହାନ୍ତି ଓ ସୂର୍ଯ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।