ତିନି ଦିନିଆ ଭାରତ ଗସ୍ତରେ ମାର୍କୋ ରୁବିଓ

୨୬/୧୧ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ

ମୁମ୍ବାଇ, ୨୦/୧୦: ଭାରତ ଗସ୍ତରେ ଆସିଥିବା ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ମଙ୍ଗଳବାର ମୁମ୍ବାଇରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି ରୁବିଓ। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଶକ୍ତି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା‌ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ମୁମ୍ବାଇର ପ୍ରସିଦ୍ଧ ତାଜ୍‌ ମହଲ ପ୍ୟାଲେସ୍‌ ହୋଟେଲରେ ପହଞ୍ଚି ରୁବିଓ ୨୬/୧୧ ଆତଙ୍କୀ ଆକ୍ରମଣର ମୃତକଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଆକ୍ରମଣରେ ଛଅଜଣ ଆମେରିକୀୟ ନାଗରିକଙ୍କ ସମେତ ଅନେକ ନିରୀହ ଲୋକ ପ୍ରାଣ ହରାଇଥିଲେ।

ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ରୁବିଓ କହିଛନ୍ତି ଯେ, ଏହି ଆକ୍ରମଣରେ ଜୀବନ ହରାଇଥିବା ଲୋକଙ୍କୁ ଆମେରିକା ସ୍ମରଣ କରୁଛି। ଆକ୍ରମଣ ସମୟରେ ସାହସର ସହ ମୁକାବିଲା କରିଥିବା ଲୋକଙ୍କ ସାହସିକତାକୁ ମଧ୍ୟ ସମ୍ମାନ ଜଣାଉଛି। ଏଥିସହ ଭାରତ-ଆମେରିକା ମଧ୍ୟରେ ଦୀର୍ଘକାଳୀନ ବନ୍ଧୁତା ଏବଂ ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଜାରି ରଖିବାର ସଂକଳ୍ପକୁ ସେ ଦୋହରାଇଛନ୍ତି।

ଭାରତ ଗସ୍ତ ସମୟରେ ରୁବିଓ ବିଶ୍ୱର ତିନି ପ୍ରମୁଖ ପରମାଣୁ ଶକ୍ତି ରାଷ୍ଟ୍ର ଆମେରିକା, ରୁଷ୍‌ ଓ ଚୀନ୍‌ ର ଶୀର୍ଷ ନେତାଙ୍କ ମଧ୍ୟରେ ଯୋଗାଯୋଗ ଓ ଆଲୋଚନା ହେବା ବିଶ୍ୱ ପାଇଁ ଏକ ସକାରାତ୍ମକ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।

ଚୀନ୍‌ ଅସ୍ତ୍ର ନିୟନ୍ତ୍ରଣ ସମ୍ପର୍କିତ ଆଲୋଚନା ପାଇଁ ରାଜି ଅଛି କି ନାହିଁ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ରୁବିଓ କହିଥିଲେ ଯେ, ମତଭେଦ ଥିଲେ ମଧ୍ୟ ବିଶ୍ୱର ତିନିଟି ସବୁଠାରୁ ଶକ୍ତିଶାଳୀ ପରମାଣୁ ଅସ୍ତ୍ରଧାରୀ ରାଷ୍ଟ୍ରର ନେତାମାନେ ପରସ୍ପର ସହ ଆଲୋଚନା କରିପାରିବା ଉଚିତ। ଏପରି ଆଲୋଚନାର ଗୁରୁତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ।

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଚାଲିଥିବା କୂଟନୈତିକ ପ୍ରୟାସକୁ ନେଇ ସେ କହିଛନ୍ତି ଯେ, କୌଣସି ବିବାଦର ସମାଧାନ ପାଇଁ ପ୍ରତିପକ୍ଷ ସହ ଆଲୋଚନା ଜରୁରୀ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅସ୍ତ୍ର ନିୟନ୍ତ୍ରଣ ପ୍ରସଙ୍ଗରେ ଆମେରିକା, ରୁଷ୍‌ ଓ ଚୀନ୍‌ର ନେତାମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଖୋଲା ମନୋଭାବ ରଖିଛନ୍ତି। ଏପରି ଆଲୋଚନା ହେଲେ ତାହା ବିଶ୍ୱର ଶାନ୍ତି ଓ ସୁରକ୍ଷା ପାଇଁ ଲାଭଦାୟକ ହେବ।

ରୁବିଓଙ୍କ ଏହି ଗସ୍ତରେ ପ୍ରସ୍ତାବିତ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ନେଇ ଚାଲିଥିବା ଆଲୋଚନାକୁ ଗୁରୁତ୍ୱ ଦିଆଯିବ। ୨୦୨୫ ଆରମ୍ଭରୁ ଉଭୟ ଦେଶ ଏହି ଚୁକ୍ତି ନେଇ ଆଲୋଚନା କରୁଛନ୍ତି। ଶୁଳ୍କ ସମ୍ପର୍କିତ ସମସ୍ୟାର ସମାଧାନ, ଅଣ-ଶୁଳ୍କ ପ୍ରତିବନ୍ଧକ ହ୍ରାସ ଏବଂ ପରସ୍ପରର ବଜାରରେ ସାମଗ୍ରୀ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଏହି ଆଲୋଚନାର ମୁଖ୍ୟ ଲକ୍ଷ୍ୟ।

ତିନି ଦିନର ଏହି ଭାରତ ଗସ୍ତରେ ରୁବିଓ ବୁଧବାର ଗୁଜରାଟର ଜାମନଗର ଯିବେ।