ଓଡ଼ିଶା ସରକାରଙ୍କୁ ₹୧.୧୭ କୋଟିର ଲାଭାଂଶ ପ୍ରଦାନ କଲା ଓଟିଡିସି

ଚେକ୍ ଗ୍ରହଣ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର, ୧୦/୦୭: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ଓଡ଼ିଶା ସରକାରଙ୍କୁ ₹୧.୧୭ କୋଟିର ଲାଭାଂଶ (ଡିଭିଡେଣ୍ଡ) ପ୍ରଦାନ କରିଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ରଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମି ଏବଂ ସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବା ଦିଗରେ ଓଟିଡିସିର ନିରନ୍ତର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ସେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଆର୍ଥିକ ଦୃଷ୍ଟିରୁ ସକ୍ଷମ ଏବଂ ବୃତ୍ତିଗତ ଭାବେ ପରିଚାଳିତ ପର୍ଯ୍ୟଟନ ନିଗମ, ପର୍ଯ୍ୟଟକମାନଙ୍କ ଅନୁଭୂତିକୁ ସମୃଦ୍ଧ କରିବା, ସ୍ଥାନୀୟ ଅର୍ଥନୀତିକୁ ସମର୍ଥନ କରିବା ଏବଂ ରାଜ୍ୟର ବ୍ୟାପକ ପର୍ଯ୍ୟଟନ ଦୂରଦୃଷ୍ଟିକୁ ସାକାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଓଟିଡିସି ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଏହି ନିଗମ ବର୍ତ୍ତମାନ ୧୪ଟି ପାନ୍ଥନିବାସ ହୋଟେଲ ୟୁନିଟ୍, ପାରମ୍ପରିକ ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ ଏବଂ ଏକ ବିଳାସପୂର୍ଣ୍ଣ ପର୍ଯ୍ୟଟନ ପରିବହନ ସେବା (ଟ୍ରାନ୍ସପୋର୍ଟ ଫ୍ଲିଟ୍) ପରିଚାଳନା କରି ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନଙ୍କର ବିଭିନ୍ନ ଆବଶ୍ୟକତାକୁ ପୂରଣ କରୁଛି। ଏହା ସହିତ ଯାତ୍ରା ସେବାକୁ ସହଜ କରିବା ପାଇଁ ନିଗମର ଏକ ଏୟାର ଟିକେଟିଂ ଡିଭିଜନ ରହିଛି ଏବଂ ସମଗ୍ର ଓଡ଼ିଶାରେ ପର୍ଯ୍ୟଟନ ଭିତ୍ତିଭୂମିର ଯୋଜନା, କାର୍ଯ୍ୟାନ୍ୱୟନ, ନବୀକରଣ ତଥା ରକ୍ଷଣାବେକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ଇଞ୍ଜିନିୟରିଂ ଡିଭିଜନ ମଧ୍ୟ କାର୍ଯ୍ୟ କରୁଛି।

ଆଗାମୀ ଦିନକୁ ଦୃଷ୍ଟିରେ ରଖି, ନିଗମ ଆସନ୍ତା ତିନି ବର୍ଷ ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଏଥିରେ ଭିତ୍ତିଭୂମିର ଉନ୍ନତିକରଣ, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି, ପର୍ଯ୍ୟଟନ ସମ୍ବନ୍ଧୀୟ ସେବାଗୁଡ଼ିକର ବିବିଧକରଣ ଏବଂ ପାନ୍ଥନିବାସ ନେଟୱର୍କ ସମେତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ଷମ ୟୁନିଟଗୁଡ଼ିକରେ ସେବାର ଗୁଣବତ୍ତାରେ ନିରନ୍ତର ସୁଧାର ଆଣିବା ଉପରେ ଧ୍ୟାନ ଦିଆଯାଇଛି, ଯାହାଦ୍ୱାରା ନିଗମର ଆର୍ଥିକ କାରବାର (ଟର୍ଣ୍ଣଓଭର) ଏବଂ ଲାଭପ୍ରଦତାକୁ ଆହୁରି ବୃଦ୍ଧି କରାଯାଇପାରିବ ବୋଲି ଅଧିକାରୀ ଆଶା ପ୍ରାଶକ କରିଛନ୍ତି।