ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଜଙ୍ଗଲରେ ଲୁଚିଥିବା ବେଳେ ଏନକାଉଣ୍ଟର

ଝାରସୁଗୁଡ଼ା, ୧୯/୧୦: ଝାରସୁଗୁଡ଼ାରେ ପୋଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅଫରାଧୀ ବଣ୍ଟି ପ୍ରସାଦ। ଆମ୍ବଦରହ ଜଙ୍ଗଲ ନିକଟରେ ପୋଲିସ ଏହି ଏନ୍‌କାଉଣ୍ଟର କରିଥିବା ସୂଚନା ମିଳିଛି। ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ପୋଲିସ ଏକ ଚଢ଼ାଉ ପାଇଁ ଯାଇଥିବା ବେଳେ ବଣ୍ଟି ପ୍ରସାଦ ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା। ଏହାପରେ ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ବଣ୍ଟି ଆହତ ହୋଇଛି। ଆହତ ହେବା ପରେ ପୋଲିସ ବଣ୍ଟିକୁ କାବୁ କରି ଚିକିତ୍ସା ପାଇଁ ଖଲିଆକାନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ସୂଚନା ମିଳିଛି।

ପୋଲିସ ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୬ଟା ସମୟରେ ବଣ୍ଟି ଜଙ୍ଗଲ ନିକଟରେ ଲୁଚିଥିବା ଖବର ପାଇ ଓରିଏଣ୍ଟ ଥାନା ପୋଲିସ ଏକ ସ୍ୱତନ୍ତ୍ର ତଲାସୀ ଅଭିଯାନ ଆରମ୍ଭ କରିଥିଲା। ପୋଲିସ ଟିମ୍‌ ତା’ ନିକଟରେ ପହଞ୍ଚିବା ପରେ ସେ ଖସିଯିବା ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲା। ଏହାପରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଘଟଣାସ୍ଥଳରୁ ଅବୈଧ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।

ବଣ୍ଟି ପ୍ରସାଦର ଘର ଝାରସୁଗୁଡ଼ା ଜିଲ୍ଲାର ହନୁମାନ ନଗର ଅଞ୍ଚଳରେ। ତା’ ନାଁରେ ବିଭିନ୍ନ ଥାନାରେ ମୋଟ ୧୭ଟି ମାମଲା ରହିଛି। ଏହି ମାମଲାଗୁଡ଼ିକ ମଧ୍ୟରେ ହତ୍ୟା ଉଦ୍ୟମ, ଲୁଟ୍‌, ସଂଗଠିତ ଅପରାଧ ଓ ଅବୈଧ ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଅଭିଯୋଗ ରହିଛି।