ଭୁବନେଶ୍ୱର, ୨୬/୦୭: ରାଜଧାନୀ ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ ରନ୍। ଭୟଙ୍କର ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି ଗାଡ଼ି। ଦୁର୍ଘଟଣା ଏତେ ଭୟଙ୍କର ଯେ, ଶରୀରରୁ ମୁଣ୍ଡ ସମ୍ପୂର୍ଣ୍ଣ ଅଲଗା ହୋଇ ଦୁର୍ଘଟଣା ସ୍ଥଳରୁ ୨ କିଲୋମିଟର ଦୂରରେ ପଡ଼ିଛି ମୁଣ୍ଡ। ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ତମାଣ୍ଡୋରେ।
ରବିବାର ଭୋର୍ ୪ଟା ସମୟରେ ବରମୁଣ୍ଡା ବସ୍ଷ୍ଟାଣ୍ଡ ସମ୍ମୁଖ ଟାଟା ମୋଟର୍ସ ପାଖ ରାସ୍ତାରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ବିହୀନ ଶରୀର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଏହାକୁ ପ୍ରଥମେ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସିସିଟିଭି ଯାଞ୍ଚରୁ ଏହା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ବୋଲି ସ୍ପଷ୍ଟ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଡିସିପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଡିସିପି କହିଛନ୍ତି, ଏହା ଦୁର୍ଘଟଣା ବୋଲି ସ୍ପଷ୍ଟ ହୋଇଛି। ମୃତକଙ୍କ ପରିଚୟ ମଧ୍ୟ ମିଳିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ମାଛ ବେପାରୀ ହାଡୁ ମଲ୍ଲିକ। ସେ ଓ ତାଙ୍କ ସାନ ଭାଇ ଏକ ଲୁନା ଯୋଗେ ଭୁବନେଶ୍ବର ଆସୁଥିବା ବେଳେ ଏକ ଗାଡ଼ି ତାଙ୍କୁ ଦୁର୍ଘଟଣା ଘଟାଇ ଚାଲି ଯାଇଥିଲା। କିନ୍ତୁ ପଛରେ ଆଉ ଏକ କାର ଆସି ବରମୁଣ୍ଡା ଯାଏଁ ପାଖାପାଖି ୨ କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ଘୋଷାଡି ନେଇଥିଲା। ଉକ୍ତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଓ ଗାଡ଼ିକୁ ଚିହ୍ନଟ ପ୍ରକ୍ରିୟା ଚାଲିଛି।