ଭୁବନେଶ୍ୱର, ୦୧/୦୮: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ। ଅର୍ଥ ବିଭାଗ, ଆଇନ ବିଭାଗ, SC/ST ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଗୋଟିଏ ଲେଖାଏଁ ଯୋଜନାକୁ ମଂଜୁରୀ ମିଳିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ଟି ଯୋଜନା ଏବଂ ଜଳସମ୍ପଦ ବିଭାଗର ସର୍ବାଧିକ ୫ଟି ଯୋଜନାକୁ ଅନୁମୋଦନ ମିଳିଛି।
ଓଡ଼ିଶା ଜିଏସଟିରେ ସଂଶୋଧନକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ଜିଏସଟି ଢାଞ୍ଚାରେ କାର୍ଯ୍ୟକାରୀ ହେବ ଓଡ଼ିଶା ଜିଏସଟି। ଟିକସଦାତା ନିରବଚ୍ଛିନ୍ନ କ୍ରେଡିଟ ନୋଟ୍ ଜାରି କରିପାରିବେ।
କୃଷି ଯନ୍ତ୍ରପାତି, ଉପକରଣ ଓ ପମ୍ପସେଟ୍ କିଣାକୁ ପ୍ରେତ୍ସାହନ ଦିଆଯିବ। ଏହି ଯୋଜନାକୁ ୨୦୩୦/୩୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏବେ ୨ ଲକ୍ଷ ୫୪ ହଜାର ୭୭୪ ଚାଷୀ ଏଥିରେ ଉପକୃତ ହେଉଛନ୍ତି। ଏହାର ସଂଖ୍ୟା ବୃଦ୍ଧି ପାଇ ୩ଲକ୍ଷ ୭୯ ହଜାର ହେବାକୁ ଲକ୍ଷ୍ୟ ରଖାଯାଇଛି।
ସମନ୍ବିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ଯୋଜନାର କାର୍ଯ୍ୟକାରୀ ହେବ। ଏହାଦ୍ବାରା ୨ ଜିଲ୍ଲାର ୬୦ ହଜାର ଏକର ଚାଷଜମିକୁ ଜଳସେଚିତ କରାଯିବ। କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ୬୦ ହଜାର ଏକର ଚାଷଜମିକୁ ଜଳସେଚିତ କରାଯିବ।