ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି
ଭୁବନେଶ୍ୱର, ୦୨/୦୭: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ସରକାରୀ ଗସ୍ତରେ ଓଡ଼ିଶା ଆସୁଛନ୍ତି। ଏହି ଗସ୍ତ ସମୟରେ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ସୁରକ୍ଷିତ ଗସ୍ତ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଟ୍ରାଫିକ୍ କଟକଣା କରାଯାଇଛି।
ଭୁବନେଶ୍ୱର-କଟକ ପୁଲିସ କମିଶନର ଏସ୍. ଦେବଦତ୍ତ ସିଂହ କହିଛନ୍ତି, “ରାଷ୍ଟ୍ରପତି ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ଓଡ଼ିଶାରେ ଅଫିସିଆଲ ଗସ୍ତରେ ରହିବେ। ଏହି ସମୟରେ ଭୁବନେଶ୍ୱର-କଟକ ସମେତ ରାଜ୍ୟର ଅନ୍ୟ ସ୍ଥାନରେ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ପ୍ରାୟ ୪୦ ପ୍ଲାଟୁନ ପୁଲିସ, ପ୍ରାୟ ୧୫୦ ଜଣ ଅଧିକାରୀ ଏବଂ ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ ମୁତାୟନ କରାଯିବ।”
ଅଗଷ୍ଟ ୩ରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଲୋକ ଭବନରେ ରହିବା ପରେ କଟକ ଯିବେ। ସେଠାରେ ଡମପଡ଼ା ଅଞ୍ଚଳରେ ଜଗଦଗୁରୁ କୃପାଳୁ ମହାରାଜ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ।
ଅଗଷ୍ଟ ୪ରେ ମୌସୁମୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ। ସେଠାରୁ ଗଞ୍ଜାମ ଜିଲ୍ଲାର ସାନାଖେମୁଣ୍ଡି ବ୍ଲକ୍ର ତପ୍ତପାଣି ଉଷ୍ମ ପ୍ରସବଣରେ ମା’ କାନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାତିରେ ଗୋପାଳପୁରର ଆର୍ମି ଏୟାର ଡିଫେନ୍ସ କଲେଜରେ ରହିପାରନ୍ତି।
ଅଗଷ୍ଟ ୫ରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରି ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।