ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଦେବଗିରି ଧାମରେ ବୋଲବମଙ୍କ ଭିଡ଼
ଦେବଗିରି ପାହାଡ଼ ଚଢି ଜଳାଭିଷେକ କଲେ ଶହ ଶହ ସଂଖ୍ୟାରେ ଭକ୍ତ
କଲ୍ୟାଣସିଂହପୁର, ୩/୮( ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ପାହାଡରେ ଥିବା ସ୍ଵଟିକ ପଞ୍ଚମୁଖେଶ୍ୱରଙ୍କ ନିକଟରେ ପବିତ୍ର ଶ୍ରାବଣମାସର ପ୍ରଥମ ସୋମବାରରେ ଶହ ଶହ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି।

ବିଭିନ୍ନ ଜିଲ୍ଲାର ଦୂର ଦୂରାନ୍ତରରୁ କାଉଡ଼ିଆ ମାନେ ରବିବାର ଦିନ ଆସି କଲ୍ୟାଣସିଂହପୁର ଦେବଗିରି ଧାମ କ୍ରାନ୍ତିକାରୀ ଆଶ୍ରମରେ ବିଶ୍ରାମ କରି ଭୋରରୁ ଉଠି ନିକଟସ୍ଥ ନାଳ, ନାଗାବଳୀ ନଦୀ ଓ କଲ୍ୟାଣୀ ନଦୀର ସଂଗମ ସ୍ଥଳରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ପାଣି ଭାର ନେଇ ଶିବଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି। କେତେକ କାଉଡ଼ିଆ ରବିବାର ଦିନ ଠାରୁ ନିଜ ନିଜ ଅଞ୍ଚଳରୁ ପାଣି ଭାର ନେଇ ତୁଣ୍ଡରେ ବୋଲବମ ଓ ଶିବ ପଞ୍ଚାକ୍ଷର ମନ୍ତ୍ର ବୋଲି ଚାଲି ଚାଲି ଦେବଗିରି ଧାମ ପାହାଡ଼ ଗୁମ୍ଫାରେ ଥିବା ପଞ୍ଚ ମୁଖେଶ୍ୱର ସ୍ୱଟିକ ଲିଙ୍ଗରେ ଜଳାଭିଷେକ କରିବା ପାଇଁ ଯାଉଥିବା ଦେଖିବାକୁ ମିଳିଛି।

ଛୋଟ ପିଲା, ମହିଳା ଓ ପୁରୁଷ ପାଣି ଭାର ଧରି ଦେବଗିରି ପାହାଡ଼ ଚଢି ଜଳାଭିଷେକ କରିଛନ୍ତି। ଭକ୍ତ ମାନଙ୍କ ପାଇଁ ଗ୍ରାମର କିଛି ଯୁବକମାନେ ପାନୀୟ ଜଳ ଓ ଖେଚୁଡ଼ି ବ୍ୟବସ୍ଥା କରି ବଣ୍ଟନ କରିଥିଲେ। ଦୂର ଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ରହିବା ଓ ପ୍ରସାଦ ବ୍ୟବସ୍ଥା କରାଯାଇଥିଲେ ଆହୁରି ଅଧିକା ଭକ୍ତ ଆସିପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।