ଭୁବନେଶ୍ୱର, ୦୩/୦୮: ରାଜ୍ୟରେ ବନ୍ୟା ଆଶଙ୍କା କମିଥିବା ବେଳେ କ୍ଷୟକ୍ଷତି ନେଇ ଆକଳନ ଆରମ୍ଭ ହୋଇଯାଇଛି। ସଂପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ ଆକଳନ ଆରମ୍ଭ ହୋଇଛି। କୃଷି ଓ ରାଜସ୍ବ ବିଭାଗ କର୍ମଚାରୀ କ୍ଷୟକ୍ଷତି ଆକଳନରେ ନିୟୋଜିତ ଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ, ୨୨ଟି ଜିଲ୍ଲାରେ ବନ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଛି। ୨୨ ଜିଲ୍ଲାର ୮୫ଟି ବ୍ଲକ ଓ ୧୫ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ୮୫ଟି ବ୍ଲକର ୬୫୬ ପଞ୍ଚାୟତ, ୧୪୫୮ ଗାଁ କ୍ଷତିଗ୍ରସ୍ତ ହୋଇଛି। ବନ୍ୟାରେ ୮ ଲକ୍ଷ ୬୩ ହଜାର ୯୦୯ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତଙ୍କ ମଧ୍ୟରୁ ୨ ଲକ୍ଷ ୬୭ ହଜାର ୩୦୧ ସ୍ଥାନାନ୍ତରିତ ହୋଇଥିଲେ।
ବନ୍ୟା ପ୍ରଭାବିତଙ୍କୁ କ୍ଷୟକ୍ଷତି ପ୍ରଦାନ କରାଯିବ। ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ମିଳିବ। କୁଡ଼ିଆ ଘର ବାବଦକୁ ୮ ହଜାର ଟଙ୍କା ପ୍ରଦାନ କରାଯିବ। ଗୁହାଳ ଘର ଭାଙ୍ଗିଥିଲେ ୩ ହଜାର ଟଙ୍କା ପ୍ରଦାନ ବ୍ୟବସ୍ଥା ରହିଛି। ପକ୍କା ଘର ଆଂଶିକ ଭାଙ୍ଗିଥିଲେ ୬ ହଜାର ୫ଶହ ଟଙ୍କା ପ୍ରଦାନ କରାଯିବ। କଚ୍ଚାଘର ଆଂଶିକ ଭାଙ୍ଗିଥିଲେ ୪ ହଜାର ଟଙ୍କା ମିଳିବ।
ରେନଫେଡ୍ କ୍ରୋପ୍ ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା, ଇରିଗେଟେଡ୍ କ୍ରୋପ୍ ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା, ପେରିନିଆଲ କ୍ରୋପ୍ ପାଇଁ ୨୨ ହଜାର ୫ଶହ ଟଙ୍କା ସହାୟତା ମିଳିବ।
ବନ୍ୟାରେ ମୃତକଙ୍କ ପରିବାରକୁ ମିଳିବ ସହାୟତା। ସରକାରୀ ନିୟମ ଅନୁସାରେ ୪ ଲକ୍ଷ ଲେଖାଏଁ ମିଳିବ। ଜଣେ ଅଗ୍ନିଶମ କର୍ମଚାରୀଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଇନ୍ସ୍ୟୁରାନ୍ସ କଭରେଜ ସହ ସରକାରୀ ନିୟମ ଅନୁସାରେ ସେ ଟଙ୍କା ପାଇବେ।
ସେହିପରି ଗୃହ ପାଳିତ ପଶୁପକ୍ଷୀ କ୍ଷୟକ୍ଷତି ବାବଦକୁ ମଧ୍ୟ ସହାୟତା ମିଳିବ। ଏନେଇ ସରକାର ୧୨ କୋଟି ୮୮ ଲକ୍ଷ ଟଙ୍କା ପ୍ରଦାନ କରିବେ। ରିଲିଫ ସେଣ୍ଟର ପରିଚାଳନା ପାଇଁ ୨୬ କୋଟି ଟଙ୍କା ପ୍ରଦାନ କରାଯିବ। ଗାଈ ବାବଦକୁ ୩୭ ହଜାର ୫୦୦, ବଳଦ କିମ୍ବା ମଇଁଷି ପାଇଁ ୩୨ ହଜାର ଟଙ୍କା ଦିଆଯିବ।ବଳଦ କିମ୍ବା ମଇଁଷି ପାଇଁ ୩୨ ହଜାର ଟଙ୍କା, ବାଛୁରୀ ପାଇଁ ୨୦ ହଜାର, ଛେଳି କିମ୍ବା ମେଣ୍ଢା ପାଇଁ ୪ ହଜାର ଟଙ୍କା ପ୍ରଦାନ କରାଯିବ।