ଝାରସୁଗୁଡ଼ା, ୩/୮: ଶିଳ୍ପ ସ୍ଥାପନ ପାଇଁ ଆବଣ୍ଟନ କରାଯାଇଥିବା ମୂଲ୍ୟବାନ ସରକାରୀ ଜମି ୧୨ ବର୍ଷରୁ ଅଧିକ ସମୟ ଧରି ଅବ୍ୟବହୃତ ପଡ଼ିରହିଥିବା ଅଭିଯୋଗ କରି ଝାରସୁଗୁଡ଼ା ସିଟିଜେନ୍ସ ଫୋରମ୍ ବେଦାନ୍ତ ଆଲୁମିନିୟମ୍କୁ ପ୍ରଦାନ କରାଯାଇଥିବା ଲିଜ୍ ବାତିଲ କରିବା ସହ ୨୮.୮୦୦ ଏକର ସରକାରୀ ଜମି ପୁନରୁଦ୍ଧାର କରିବାକୁ ଦାବି କରିଛି। ଏହା ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ (ଓଜିଏଲଏସ୍) ଆଇନ, ଆଇଡିକୋ ନିର୍ଦ୍ଦେଶାବଳୀ ଏବଂ ଲିଜ୍ ଚୁକ୍ତିର ସର୍ତ୍ତାବଳୀର ଉଲ୍ଲଂଘନ ବୋଲି ଫୋରମ୍ ଅଭିଯୋଗ କରିଛି।
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଏକ ବିସ୍ତୃତ ସ୍ମାରକପତ୍ରରେ ଫୋରମ୍ ଦର୍ଶାଇଛି ଯେ, ଝାରସୁଗୁଡ଼ା ତହସିଲର ୟୁନିଟ୍ ନଂ-୯ ଅନ୍ତର୍ଗତ ପଞ୍ଚପଡ଼ା ମୌଜାରେ ଥିବା ସରକାରୀ ଜମିରୁ ଖାତା ନଂ-୮୭୮, ପ୍ଲଟ୍ ନଂ-୩୭୭୦/୭୦୭୮(ପି)ର ୨୪.୭୨୦ ଏକର ଏବଂ ପ୍ଲଟ୍ ନଂ-୩୭୬୭ର ୪.୦୮୦ ଏକର ସମେତ ମୋଟ ୨୮.୮୦୦ ଏକର ଜମି ଶିଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ଆଇଡିକୋ ମାଧ୍ୟମରେ ଆବଣ୍ଟନ କରାଯାଇଥିଲା।
ସ୍ମାରକପତ୍ର ଅନୁଯାୟୀ, ଲିଜ୍ କେସ୍ ନଂ-୪୮/୨୦୧୧ ଆଧାରରେ ଝାରସୁଗୁଡ଼ା ଜିଲ୍ଲାପାଳ ୧୮ ସେପ୍ଟେମ୍ବର ୨୦୧୨ରେ ଆବଣ୍ଟନକୁ ଅନୁମୋଦନ କରିଥିଲେ। ପରେ ୨୮ ଫେବୃଆରୀ ୨୦୧୩ରେ ଲିଜ୍ ଚୁକ୍ତି ସ୍ୱାକ୍ଷର ହୋଇଥିବା ବେଳେ ୮ ଅକ୍ଟୋବର ୨୦୧୩ରେ ପଞ୍ଜୀକୃତ ଦଲିଲ ନଂ-୧୦୮୬୧୩୦୨୬୮୨ ମାଧ୍ୟମରେ ବେଦାନ୍ତ ସପକ୍ଷରେ ସବ୍-ଲିଜ୍ କରାଯାଇଥିଲା।
ଫୋରମ୍ର ଅଭିଯୋଗ ଅନୁସାରେ, ୧୨ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଉକ୍ତ ଜମିରେ କୌଣସି ଶିଳ୍ପ କାରଖାନା, ଭିତ୍ତିଭୂମି, ଯନ୍ତ୍ରପାତି କିମ୍ବା ବାଣିଜ୍ୟିକ କାର୍ଯ୍ୟକଳାପ ଆରମ୍ଭ ହୋଇନାହିଁ। ଫଳରେ ଦୁର୍ଲଭ ସରକାରୀ ଜମି ଅବ୍ୟବହୃତ ରହିଥିବା ବେଳେ ରାଜ୍ୟ ଶିଳ୍ପ ବିକାଶ ଓ ରୋଜଗାର ସୃଷ୍ଟିରୁ ବଞ୍ଚିତ ହୋଇଛି ବୋଲି ଫୋରମ୍ କହିଛି।
ଫୋରମ୍ର ସଦସ୍ୟମାନେ ସ୍ଥଳ ପରିଦର୍ଶନ କରି ଜମିଟି ସମ୍ପୂର୍ଣ୍ଣ ଖାଲି ପଡ଼ିଥିବା ଏବଂ କୌଣସି ବିକାଶମୂଳକ କାର୍ଯ୍ୟର ଚିହ୍ନ ନଥିବା ଦାବି କରିଛନ୍ତି। ୨୦୧୬ ପୂର୍ବରୁ ବିଭିନ୍ନ ବୈଠକରେ ବେଦାନ୍ତ କମ୍ପାନୀ ସ୍ଥାନୀୟ ଲୋକଙ୍କ ପାଇଁ ଭିତ୍ତିଭୂମି ବିକାଶର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରିନଥିବା ଏବଂ ଶିଳ୍ପାଞ୍ଚଳରେ ଜମିର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ସ୍ୱାର୍ଥରେ ଜମିକୁ ଦଖଲରେ ରଖିଥିବା ଫୋରମ୍ ଅଭିଯୋଗ କରିଛି।
ଏହାକୁ “ଜନସ୍ୱାର୍ଥ ପ୍ରତି ବିଶ୍ୱାସଘାତ” ବୋଲି ବର୍ଣ୍ଣନା କରି ଫୋରମ୍ କହିଛି, ଶିଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ଆବଣ୍ଟିତ ସରକାରୀ ଜମିକୁ ବର୍ଷ ବର୍ଷ ଧରି ଅବ୍ୟବହୃତ ରଖିବା ଶିଳ୍ପ ପ୍ରୋତ୍ସାହନର ମୂଳ ଉଦ୍ଦେଶ୍ୟକୁ ବିଫଳ କରୁଛି ଏବଂ ଲିଜ୍ ସର୍ତ୍ତ ପାଳନ ସମ୍ପର୍କରେ ସରକାରୀ ସଂସ୍ଥାଗୁଡ଼ିକର ତଦାରଖ ଉପରେ ପ୍ରଶ୍ନ ସୃଷ୍ଟି କରୁଛି।
ସ୍ମାରକପତ୍ରରେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ, ୧୯୬୨ର ଧାରା ୩-ବିର ଉଲ୍ଲେଖ କରାଯାଇଛି। ଏହି ଧାରା ଅନୁଯାୟୀ, ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଆବଣ୍ଟିତ ଜମିକୁ ବ୍ୟବହାର ନକଲେ କିମ୍ବା ଦୀର୍ଘ ସମୟ ଅବ୍ୟବହୃତ ରଖିଲେ ସରକାର ତାହାକୁ ପୁନରୁଦ୍ଧାର କରିପାରିବେ। ସେହିପରି ଆଇଡିକୋର ୨୩ ମେ ୨୦୧୬ର ସର୍କୁଲାର ନଂ-୧୫୯୯୫ ଅନୁଯାୟୀ ଲିଜ୍ ସର୍ତ୍ତ ଉଲ୍ଲଂଘନ ହେଲେ କାରଣ ଦର୍ଶାଅ ନୋଟିସ ଜାରି କରି ଲିଜ୍ ବାତିଲ କରାଯାଇପାରିବ ବୋଲି ଦର୍ଶାଯାଇଛି।
ଫୋରମ୍ ଆହୁରି କହିଛି ଯେ, ସବ୍-ଲିଜ୍ ଚୁକ୍ତିର ଧାରା-୩ ଅନୁଯାୟୀ ଛଅ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ, ୨୪ ମାସ ମଧ୍ୟରେ ପ୍ଲାଣ୍ଟ ଓ ଯନ୍ତ୍ରପାତି ସ୍ଥାପନ ସହ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବା ବାଧ୍ୟତାମୂଳକ ଥିଲା। କିନ୍ତୁ ଏହି ସର୍ତ୍ତଗୁଡ଼ିକ ପାଳନ କରାଯାଇନଥିବାରୁ ଏହା ଲିଜ୍ ଚୁକ୍ତିର ସ୍ପଷ୍ଟ ଉଲ୍ଲଂଘନ ବୋଲି ଫୋରମ୍ ଦାବି କରିଛି।
ସିଟିଜେନ୍ସ ଫୋରମ୍ ରାଜ୍ୟ ସରକାର, ଆଇଡିକୋ ଏବଂ ଜିଲ୍ଲା ପ୍ରଶାସନକୁ ତୁରନ୍ତ ବେଦାନ୍ତକୁ କାରଣ ଦର୍ଶାଅ ନୋଟିସ ଜାରି କରିବା, ଲିଜ୍ ବାତିଲ ପ୍ରକ୍ରିୟା ଆରମ୍ଭ କରିବା, ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ଏବଂ ଏହାକୁ ଜନସ୍ୱାର୍ଥ ଓ ରୋଜଗାର ସୃଷ୍ଟିକାରୀ ପ୍ରକଳ୍ପରେ ବ୍ୟବହାର କରିବାକୁ ଦାବି କରିଛି।
ଏହାସହ ଓଡ଼ିଶାର ବିଭିନ୍ନ ଶିଳ୍ପ ସଂସ୍ଥାକୁ ଆବଣ୍ଟନ କରାଯାଇଥିବା ଏବଂ ଦୀର୍ଘଦିନ ଧରି ଅବ୍ୟବହୃତ ରହିଥିବା ସମସ୍ତ ସରକାରୀ ଜମିର ସମୀକ୍ଷା କରିବାକୁ ମଧ୍ୟ ଫୋରମ୍ ଦାବି କରିଛି। ଏପରି ଭାବେ ଦଶନ୍ଧି ଧରି ସରକାରୀ ଜମିକୁ ଅବ୍ୟବହୃତ ରଖିବା ସ୍ୱଚ୍ଛତା ଓ ଜବାବଦେହିତାକୁ କ୍ଷୁଣ୍ଣ କରିବ ବୋଲି ଫୋରମ୍ ମତ ପ୍ରକାଶ କରିଛି।
ଏହି ଅଭିଯୋଗ ସମ୍ପର୍କରେ ବେଦାନ୍ତର କୌଣସି ଅଧିକାରୀ ମତାମତ ଦେବାକୁ ମନା କରିଥିଲେ। ଖବର ଲେଖାଯିବା ସୁଦ୍ଧା କମ୍ପାନୀ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନଥିଲା।