୩୦୦ ଫୁଟ ତଳକୁ ଖସିଲା ଏୟାର ଇଣ୍ଡିଆ ବିମାନ

ମଝି ଆକାଶରେ ବଡ଼ ଅଘଟଣ

ନୂଆଦିଲ୍ଲୀ, ୦୪/୦୮: ଥାଇଲାଣ୍ଡର ଫୁକେଟରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ ବିମାନରେ ମଝି ଆକାଶରେ ଅଘଟଣ ଦେଖାଦେଇଛି। ଫ୍ଲାଇଟ୍ AI2379ରେ ମଝି ଆକାଶରେ ତୀବ୍ର ଟର୍ବୁଲେନ୍ସ ହୋଇଥିଲା। ଯାହା ଫଳରେ ବିମାନରେ ଥିବା ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୨ ଜଣ ଆହତ ହୋଇଛନ୍ତି। ବିମାନ ନିରାପଦରେ ଦିଲ୍ଲୀରେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।

ଫ୍ଲାଇଟ୍ ଟ୍ରାକିଙ୍ଗ୍ ତଥ୍ୟ ଅନୁସାରେ ବିମାନ ସକାଳ ପ୍ରାୟ ୮:୨୫ ରେ ଫୁକେଟରୁ ଉଡ଼ିଥିଲା ଏବଂ ପ୍ରାୟ ୧୧:୫୦ ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। କିନ୍ତୁ ଅବତରଣ ପୂର୍ବରୁ ବାୟୁ ଅସ୍ଥିରତା ଯୋଗୁଁ ବିମାନରେ ଟର୍ବୁଲେନ୍ସ ହୋଇଥିଲା। ପାଇଲଟ୍‌ଙ୍କ ରିପୋର୍ଟ ଅନୁସାରେ ବିମାନ ପ୍ରାୟ ୩୦୦ ଫୁଟ ତଳକୁ ଖସିଯାଇଥିଲା। ଏଥିରେ ପ୍ରାୟ ୧୦ ଜଣ ଯାତ୍ରୀ ଓ ୨ ଜଣ କ୍ୟାବିନ୍ କ୍ରୁ ସାମାନ୍ୟ ଆହତ ହୋଇଛନ୍ତି। କୌଣସି ଗୁରୁତର ଆଘାତ ରିପୋର୍ଟ ହୋଇନାହିଁ।

ଆଘାତପ୍ରାପ୍ତ ବ୍ୟକ୍ତିମାନଙ୍କୁ ବିମାନବନ୍ଦରର ମେଡିକାଲ୍ ସେଣ୍ଟରରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଇଥିଲା।ଏକ ରିପୋର୍ଟରେ ଫ୍ଲାଇଟ୍‌ରେ ପ୍ରାୟ ୧୩୪ ଜଣ ଯାତ୍ରୀ ଥିବା କୁହାଯାଇଛି।

ତେବେ ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ବିବୃତି ଜାରି କରି କହିଛି ଯେ, “ଅଗଷ୍ଟ ୪ ତାରିଖରେ ଫୁକେଟରୁ ଦିଲ୍ଲୀ ଯାଉଥିବା ବିମାନ AI2379 ଟି ଅଳ୍ପ ସମୟ ପାଇଁ ଅସ୍ଥିରତାର ସମ୍ମୁଖୀନ ହୋଇଥିଲା। କିନ୍ତୁ ଏହା ନିରାପଦରେ ଦିଲ୍ଲୀରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଭାବରେ ଓହ୍ଲାଇଥିଲେ। କିଛି ଯାତ୍ରୀ ଏବଂ କର୍ମଚାରୀଙ୍କୁ ଆଘାତ ଲାଗିଛି।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ସେମାନଙ୍କୁ ଚିକିତ୍ସା ପାଇଁ ବିମାନବନ୍ଦର ମେଡିକାଲ୍ ସେଣ୍ଟରକୁ ନିଆଯାଇଛି। ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ଏବଂ ଘଟଣାର ତଦନ୍ତରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପୂର୍ଣ୍ଣ ସହଯୋଗ କରାଯାଉଛି।